Unknown

 

 

 

 

 

 

 

 

 

ଗଞ୍ଜାମ ଭ୍ରମଣ

ଚିନ୍ତାମଣି ମହାନ୍ତି

 

[୧୯୦୬ ସାଲରେ ‘‘ଗଞ୍ଜାମ-ଭ୍ରମଣ’’ ଲିଖିତ ହୋଇ ରମ୍ଭାରୁ

ପ୍ରକାଶିତ ‘‘ପ୍ରଜାବନ୍ଧୁ’’ରେ ପ୍ରକାଶିତ ହୋଇଥିଲା]

 

ଗଞ୍ଜାମ ପବିତ୍ର ଭୂମି କବି-କୁଞ୍ଜଧାମ,

ପ୍ରକୃତିର ଲୀଳାକ୍ଷେତ୍ର ଦୃଶ୍ୟ ଅଭିରାମ ।

ଉତ୍ତରେ ନୀଳାଦ୍ରି ଧାମ ପୂର୍ବେ ପାରାବାର,

ଦକ୍ଷିଣେ ବିଶାଖାପଟୁ ତେଲଙ୍ଗାଙ୍କ ଘର ।

 

ପଶ୍ଚିମେ ସହ୍ୟାଦ୍ରି, ଯଥା ନିସର୍ଗ ପ୍ରାଚୀର,

କେରାଣ୍ଡିମାଳ ଆଖ୍ୟାରେ ଟେକିଅଛି ଶିର ।

ମଧ୍ୟେ ବହେ ସ୍ୱଚ୍ଛନୀରା ଯଥା ବିଷ୍ଣୁପଦୀ,

ଗଞ୍ଜାମ-ହୀରକ-ହାର ୠଷିକୁଲ୍ୟା ନଦୀ ।

 

ନୀଳାମ୍ବୁ ଚିଲିକା ହ୍ରଦ ସୌନ୍ଦର୍ଯ୍ୟର ଖଣି,

ଗଞ୍ଜାମ-ବକ୍ଷରେ କି ସେ କଉସ୍ତୁଭ ମଣି ।

ବର୍ଣ୍ଣି ନୁହେଁ ମହେନ୍ଦ୍ରର ଶୋଭା ବିବରଣ,

ମହେନ୍ଦ୍ର-ତନୟା ଯାର ଧୂଅଇ ଚରଣ ।

 

ପ୍ରକୃତି ଏଠାରେ ଯେଉଁ ଶୋଭା ଦେଖାଇଛି,

ସେପରି ଅତୁଳ ଶୋଭା ଜଗତେ କାହିଁଛି ?

କହିଛନ୍ତି ଶୋଭା ଦେଖି ରାୟ କବିବର,

‘‘ଗଞ୍ଜାମ ସଂକ୍ଷିପ୍ତ ସାର ଉତ୍କଳ ଦେଶର ।’’

 

ଉତ୍କଳର ଅନ୍ତର୍ଗତ ଥିଲା ଏହି ମାଟି,

ବିଚ୍ଛିନ୍ନ କରୁଛି ଏବେ ଛତ୍ରଗଡ଼ ଘାଟି ।

ଗଞ୍ଜାମର ଚାରୁଶୋଭା ଶୁଣି ଶୁଣି କର୍ଣ୍ଣେ,

ବଳବତୀ ହେଲା ଇଚ୍ଛା ଗଞ୍ଜାମ-ଭ୍ରମଣେ ।

 

ଗଞ୍ଜାମର ହାଲଚାଲ ପୂର୍ବେ ଅଯା ବୁଢ଼ା,

‘‘ଉତ୍କଳ-ଭ୍ରମଣେ’’ କିଛି ଲେଖିଛନ୍ତି ଥୋଡ଼ା ।

ସେହି ଉତ୍ତେଜିନୀ ଲେଖା ଯେତେବେଳେ ପଢ଼େ,

ମନେକରେ ଗଞ୍ଜାମରେ ବୁଲିଆସେଁ ଭେଡ଼େ ।

 

ଆଜି କାଲି ହୋଇ ଦିନ ଗଲା କେତେ ଗଡ଼ି,

ବାହାରିଲି ଦଶହରା ଦିନ ରେଲ ଚଢ଼ି ।

ଇଞ୍ଜିନ-ଚାଳନକର୍ତ୍ତା ଖୁବ୍‌ ଜଣେ ଚମ୍ଭା,

ବେଳ ଛଅଘଡିଠାରେ ଭେଟାଇଲା ରମ୍ଭା ।

 

ଚିଲିକାର ଗୁରୁଶୋଭା ହରିଲା ନୟନ,

ପ୍ରକୃତି-ରାଣୀର କି ସେ ବିଶାଳ-ଦର୍ପଣ ।

ଉତ୍ତାଳ ତରଙ୍ଗ କୂଳେ ପିଟୁଅଛି ମଥା,

ସଙ୍କେତେ ଦେଖାଇ ଦେଇ ଭବ-ନଶ୍ୱରତା ।

 

ନୀଳ ଜଳେ ଦେଖାଇଣ ରଜତର ଛଟା,

ଡେଇଁ ପଡ଼ୁଛନ୍ତି କାହିଁ ଖଇଙ୍ଗା ଭେକଟା ।

ନୀଳ ଜଳେ ଭାସି ବୁଲେ ଶୁକ୍ଳ ଫେନଚୟ,

ତାମସ ହୃଦୟେ ସତ୍ତ୍ୱ ଗୁଣ କି ଉଦୟ ?

 

ମଧ୍ୟରେ ଜଟିଆ ଗିରି ଟେକିଅଛି ଶିର,

ଜଳଦେବୀଙ୍କର କି ସେ ମର୍କତ ମନ୍ଦିର ?

ବିସ୍ତୀର୍ଣ୍ଣ ଚିଲିକା ଦେଖି ଭାବିଲି ମୁଁ ବସି,

ଊର୍ଦ୍ଧ୍ୱଦେଶୁ ନୀଳାକାଶ ପଡ଼ିଛି କି ଖସି ?

 

ପହଁରନ୍ତି କାରଣ୍ଡବ ହଂସ କୋଟି କୋଟି,

ଆକାଶେ ଉଦୟ ଯଥା ତାରା ଗୋଟି ଗୋଟି ।

ସାନ ବଡ଼ ପାଲଟଣା ନାବ ଅଗଣନ

ଭାସି ବୁଲେ, ଭାସେ ଯଥା ଆକାଶରେ ଘନ ।

 

ଧନ୍ୟ ଧନ୍ୟ ଚିଲିକା ତୋ ରୂପ-ପରିପାଟୀ,

ପ୍ରାଚୀ-ଦିଗ୍‌ବଧୂର ତୁହି ନୀଳ-ପାଟଶାଟୀ ।

ଧନ୍ୟ ଧନ୍ୟ ଧନ୍ୟ ତୋର ମହତ ସ୍ୱଭାବ,

ଅସଂଖ୍ୟ ପ୍ରାଣୀଙ୍କୁ ହୃଦେ ଦେଇଅଛୁ ଠାବ ।

 

କିଏ ହିଂସ୍ର କିଏ ଶାନ୍ତ ନ କରି ବାରଣ,

ଦେଇଅଛୁ ସମଭାବେ ସକଳେ ଶରଣ ।

ସମଭାବେ ସମସ୍ତଙ୍କୁ କରିଣ ଦର୍ଶନ,

ପ୍ରକୃତ ପାଳିରୁ ତୁହି ଧର୍ମ ସନାତନ ।

 

କେତେ ରୂପ ଧରି ହରୁ ଭାବୁକ ନୟନ,

କେତେବେଳେ ଶାନ୍ତ ମୂର୍ତ୍ତି ଚାରୁ ଶୋଭାବନ ।

ରୁଦ୍ରମୂର୍ତ୍ତି ଧରି କେବେ ହୋଇ ମହାକ୍ରୁଦ୍ଧ,

ଗର୍ଜିଣ ପ୍ରକୃତି ସଙ୍ଗେ କରୁ ଘୋର ଯୁଦ୍ଧ ।

 

ଜଟିଆରୁ ସେ ଗର୍ଜନ ଶୁଣି ମହାବଳ,

ବିକଟ ଭୀଷଣ ନାଦେ ଗର୍ଜେ ଅବିରଳ ।

ସେ ଗର୍ଜନେ ତରୁଲତା ହୁଏ ବିକମ୍ପିତ,

ବୃନ୍ତୁ ଖସି ପୁଷ୍ପ ହୁଏ ତୋ ଜଳେ ପତିତ ।

 

ଗିରିବାସୀ ବୃକ୍ଷ କିବା ତୋର ଶାନ୍ତି ପାଇଁ,

ଅର୍ପନ୍ତି କୁସୁମାଞ୍ଜଳି ମହାଭୟ ପାଇ ।

ପ୍ରକୃତି ଯୁଦ୍ଧରେ ତୁହି ଲଭି ପରାଜୟ,

ହଟି ଆସି ଶେଷେ ଧରୁ ରୂପ ଶାନ୍ତିମୟ ।

 

ତୋ ରୂପ ଦର୍ଶନେ ମନେ ପଡ଼ଇ ସର୍ବଥା,

ସୁଖ ଦୁଃଖ ଭଲ ମନ୍ଦ ସଂସାରର କଥା ।

ଇଂଲିଶ ପ୍ରଣାଳୀ ଅଟେ ଘାଇଖଣ୍ଡେ ଭଳି,

ପୃଥିବୀରେ ତାହା ନାମ ପଡ଼ୁଛି ଉଛୁଳି ।

 

ମାତ୍ର ତୁହି ସ୍ୱଭାବରେ ହୋଇଣ ସାଗର,

ଉଚ୍ଚବାଚ୍ୟ ଶୁଣା ନାହିଁ କିଛି ତୋ ନାମର ।

କହୁ ଲୋ ଚିଲିକା କେଉଁ ଦୁଷ୍ଟ ଗ୍ରହ ଲାଗି,

ହୋଇଛି ଜଗତେ ତୁହି ଏସନ ଅଭାଗୀ ।

 

ନ ପଡ଼ୁ ତୋ ନାମେ ପଛେ ବିଦେଶେ ଚହଳ,

ଉତ୍କଳର ତୁହି ରତ୍ନଭଣ୍ଡାର କେବଳ ।

ଚିଲିକା, ତୋହର ଚାରୁ ରୂପ ଦରଶନେ,

କେତେ କଥା କେତେ ଭାବ ପଡ଼ୁଅଛି ମନେ ।

 

ଯାଉଛି ମେଲାଣି ଦିଅ ଜୁହାର ଜୁହାର

ଭେଟିବି ଗଞ୍ଜାମୁ ଫେରି ଆସି ପୁନର୍ବାର ।

ହେ ରମ୍ଭା ନଗରି, ଦୂରୁ କରୁଛି ସମ୍ମାନ,

‘ପ୍ରଜାବନ୍ଧୁ’ ‘ମଧୁପ’ର ପୂତ ଜନ୍ମସ୍ଥାନ ।

 

ଏଥି ପରା ନିବସନ୍ତି ଖଲ୍ଲିକୋଟ ରାଜା,

ପ୍ରାକୃତ ଉତ୍କଳେ ବାଜେ ଯାଙ୍କ ନାମେ ବାଜା ।

ହରିହର ମର୍ଦ୍ଦରାଜ ଦେବ ଆଖ୍ୟାଧାରୀ,

ଗଞ୍ଜାମେ ଆଦର୍ଶ ରାଜା ଶାନ୍ତଶିଷ୍ଟାଚାରୀ ।

 

ରାଜ୍ୟ ମଧ୍ୟେ ସ୍ଥାନେ ସ୍ଥାନେ ସ୍ଥାପି ଶିକ୍ଷାଗାର,

ତଡ଼ୁଛନ୍ତି ପ୍ରଜାଙ୍କର ଅଜ୍ଞାନ-ଅନ୍ଧାର ।

ଦାନେ, ଧର୍ମେ, ଜ୍ଞାନେ, ମାନେ, ଶିକ୍ଷା, ସଭ୍ୟତାରେ,

ଆଦର୍ଶ ନୃପତି ସର୍ବ ଗୁଣ ଏକାଧାରେ-

 

ସମାବିଷ୍ଟ ହୋଇଛନ୍ତି ସଦା ଯା’ଙ୍କଠାରେ,

ଆଦର୍ଶ ପୁରୁଷ ପୁଣି ସ୍ପଷ୍ଟବାଦିତାରେ ।

ଧନ୍ୟ ମହାରାଜା ତୁମ୍ଭ ଜାତୀୟାନୁରାଗ,

ପିନ୍ଧୁଛ ଜାତୀୟ ପାଗ ତେଜି ସ୍ୱର୍ଣ୍ଣପାଗ ।

 

ଅନେକ ଭାଷାରେ ଅଛି ପ୍ରକୃତ ନଲେଜ୍‌,

ଧରିଛି କୀର୍ତ୍ତି-ନିଶାଣ ବ୍ରହ୍ମପୁର କଲେଜ୍‌।

ଓଡ଼ିଆଭାଷୀ ଓଡ଼ିଆ ଜାତିର ଉନ୍ନତି,-

ସକାଶେ ଅଜସ୍ର ବ୍ୟୟ କରୁଛ ନୃପତି ।

 

ବୁଝିଛି ସ୍ତ୍ରୀଶିକ୍ଷା ଅଟେ ଉନ୍ନତିର ମୂଳ,

ବଢ଼ାଇଛି ତେଣୁ ରାଜ୍ୟେ ବାଳିକା ଇସ୍କୁଲ ।

ଆହୁରି ଗୋଟାଏ କାର୍ଯ୍ୟ କଲ ବଡ଼ ଭଲ,

ଖୋଲିଦେଇ ବ୍ରହ୍ମପୁର ମଧ୍ୟେ ଟାଉନ ହଲ ।

 

ବାଳିକାଙ୍କ ହସ୍ତେ ତୁମ୍ଭ ପାଟମହାଦେଈ,

‘‘ସରଳ ବାଳିକା ପାଠ’’ ଯାଚି ଗୁଞ୍ଜି ଦେଇ,

ଆକର୍ଷଣ କଲେ ତାଙ୍କ ମନ ପାଠ ପ୍ରତି,

ଧନ୍ୟ ସେ ହୃଦୟବତୀ ପତିବ୍ରତା ସତୀ ।

 

ବସିଅଛୁଁ ସର୍ବେ ନୃପ ତବ ମୁଖ ଚାହିଁ,

ଢ଼େର କର୍ତ୍ତବ୍ୟ ତୁମ୍ଭର ଅଛି ଦେଶପାଇଁ ।

ଚାଣ୍ଡେ ଚାଣ୍ଡେ ସାଧ ତାହା ଏହି ମାତ୍ର ଅଳି,

ଉଛୁର ହୋଇଲେ ଘୋର ହୋଇଯିବ କଳି ।

 

ଚିଲିକା କୁଳର ଧୀର ସମୀରଣ ଖାଇ,

ବସିଛନ୍ତି ବିଦ୍ୟାରତ୍ନେ ଆସନ ଜମାଇ ।

ଦେଶକାର୍ଯ୍ୟେ ଦିବାରାତ୍ରି ଯାଏ ନାହିଁ ଜଣା

‘‘ସିଦ୍ଧମିତି ଦୃଢ଼ବ୍ରତ’’ ହୋଇଛି ଧାରଣା ।

 

ଶତହସ୍ତେ କରୁଛନ୍ତି ସଦା ଦେଶକାମ,

ସାର୍ଥକ ହୋଇଛି ତାଙ୍କ ‘‘ପ୍ରଜାବନ୍ଧୁ’’ ନାମ ।

ଉତ୍କଳର ନୀଳମଣି ଅଟ ତୁମ୍ଭେ ଭାଇ,

ବସିଛି ଅଭାଗୀ ତେଣୁ ତବ ମୁଖ ଚାହିଁ

 

ଅତିଥିମାନଙ୍କ ପାଇଁ ମେଲା ତୁମ୍ଭ ଦ୍ୱାର,

ଯାଚି ଗୁଞ୍ଜି କରି ବୁଲ ପର ଉପକାର ।

ଦେଖିଛି ମୁଁ ପର ପାଇଁ କାନ୍ଦେ ତବ ହୃଦ,

ଅପରକୁ ଦିଅ ଦୁଧ, ଖାଇ କୁଣ୍ଡା ଖୁଦ ।

 

ଜନନୀର ଯୋଗ୍ୟପୁତ୍ର ଅଟ ତୁମ୍ଭେ ନନା,

ହରିବାରେ ବ୍ୟସ୍ତ ସଦା ଉତ୍କଳ-ବେଦନା ।

ବନ୍ଧୁ ବନ୍ଧୁ ମିଳି ବସି କେତେ ଥର ଭାବୁ

ଏଡ଼େ ଖଣ୍ଡେ ମନୁଷ୍ୟ ତ ନୀଳମଣି ବାବୁ ।

 

ଚାଖଣ୍ଡେ ଲମ୍ବ ତ ପେଟଖଣ୍ଡ ହେବ ନାହିଁ,

ଏତେ ଗୁଣ ରଖିଛନ୍ତି କାହିଁରେ ପୂରାଇ !

ଉତ୍ସାହ ଉଦ୍ୟମ ପୁଣି ଅଧ୍ୟବସାୟରେ,

ପ୍ରତ୍ୟୁତ୍ପନ୍ନମତି ପୁଣି ନୈତିକ ବଳରେ,

 

ଆଦର୍ଶ ଯୁବକ ଯଦି ଦେଖିବାକୁ ଇଚ୍ଛ,

ବିଦ୍ୟାରତ୍ନେ ଦେଖି କଥା ବୁଝ ସତ ମିଛ ।

ଶାନ୍ତିନତି ଅବତାର ଜୟକୃଷ୍ଣ ଚ୍ୟାଉ,

ତୁମ୍ଭ ସଙ୍ଗେ ତୁଲିବି ମୁଁ କାହାକୁ ହେ ଆଉ ?

 

ଅଟ ଭାଇ ତୁମ୍ଭେ ସିନା ତୁମ୍ଭରି ଉପମା,

ଦେଖି ନାହିଁ ତୁମ ପରି କାହିଁ ଦୃଢ଼କର୍ମା ।

ବାଣ୍ଟିବୁଲ ଉପକାର ଦ୍ୱାରେ ଦ୍ୱାରେ ଫେରି,

ପର ଉପକାର ପାଇଁ ଛାଡ଼ିଲ ଚାକେରି ।

 

ଦେଖିଛି ମୁଁ ପରକାର୍ଯ୍ୟେ ଲାଗ ଯଦି ଭ୍ରାତ,

ନ ହେଲା ପଛକେ ଖିଆ ସେ ଦିନରେ ଭାତ ।

କରେଁ ଆର୍ଶୀବାଦ ଭାଇ ମୋ ଆୟୁଷ ନେଇ,

କରୁଥାଅ ମାତୃପୂଜା ମନପ୍ରାଣ ଦେଇ ।

 

ବଳଭଦ୍ର ମହାପାତ୍ର ହେ ସିରସ୍ତାଦାର,

ନ ଉଚ୍ଚାରୁ କଥା ମୁଖୁଁ ଟାଣି ନେଇପାର ।

ଦେଶ ପାଇଁ ଢ଼େର ତୁମ୍ଭେ କରୁଥିଲ କାମ,

ଏବେ କିପାଁ ହୋଇଗଲ ନୀରବ ନିଷ୍କାମ ।

 

ଭଲପଦ ପୁଣି ମୋଟା ବରତନ ପାଇ

ପାସୋରିଗଲା କି ହୃଦୁ ଦେଶସେବା ଭାଇ ?

ଖଲ୍ଲିକୋଟେ ବିଶ୍ୱନାଥ ବ୍ରହ୍ମା କିଲେଦାର,

ବୃଦ୍ଧକାଳେ କର୍ତ୍ତବ୍ୟରେ ଯୁବା ବ୍ୟବହାର ।

 

ସଂସ୍କୃତ ପଢ଼ିଣ ନାହିଁ ମରହଟ୍ଟୀ ନୀତି,

କିମ୍ବା ନବ୍ୟ ସଭ୍ୟତାର ଉଚ୍ଛୃଙ୍ଖଳ ରୀତି ।

ଦେଶ ପାଇଁ କରିଛନ୍ତି ସେ ଅନେକ କାମ,

କିନ୍ତୁ ନାମ ଅନୁରୂପ ହୋଇ ନାହିଁ କାମ ।

 

ପ୍ରଣିପାତ ହରିହର ତ୍ରିପାଠୀ ସଦସ୍ୟ,

ତୁମ୍ଭ ପରି ଦେଶଭକ୍ତି ଦେଖି ନାହିଁ କସ୍ୟ ।

ଜଳୁଅଛି ପେଟ ତହିଁ ନାହିଁ ପୁଞ୍ଜେ ଭାତ,

ତେବେ ସୁଦ୍ଧା କାଢ଼ୁ ନାହଁ ଦେଶକାମୁ ହାତ ।

 

ଗଞ୍ଜାମ ଓଡିଆଙ୍କର ଦେଖିଣ ଦୁର୍ଗତି,

ହେଉଥାଏ ସଦା ତୁମ୍ଭ ହୃଦୟ କରତି ।

ଜାଣ ତୁମ୍ଭେ ନାହିଁ ଯାର ସ୍ୱଜାତି-ମମତା,

ଅଟଇ ସେ ନର ପଶୁଠାରୁ ହୀନଚେତା ।

 

ଗଞ୍ଜାମ ଓଡ଼ିଆଙ୍କର ଦୁଃଖ ପ୍ରତିକାର,

କରିବାକୁ ତୁମ୍ଭେ ଯେଣୁ ହେଲୁ ତତପର,

ଷଡ଼ଯନ୍ତ୍ର କରି କେତେ ଜଣ ଆୟାଗାରୁ,

ଖାରଜ କଲେ ତୁମ୍ଭଙ୍କୁ ଇସ୍କୁଲ ବାମରୁ ।

 

ଏମାନେ ଯଦ୍ୟପି ଆୟା ବାୟା କିଏ ତେବେ,

ଗୋରୁ କିଏ ଏମାନେ ଯଦ୍ୟପି ଗାରୁ ହେବେ ।

ଦିନ କାଟୁ ନାହିଁ କିଛି ଉପବାସ କରି,

କାର ସାଧ୍ୟ କି କରିବ ସାହା ଯାର ହରି ।

 

ତୁମ୍ଭ ପଦଧୂଳି କରେଁ ମସ୍ତକେ ଧାରଣ,

ଧନ୍ୟ ହେ ସଦସ୍ୟ ତୁମ୍ଭ ଜାତୀୟତା ଟାଣ ।

ଖାଣ୍ଟି କଥା କହୁଅଛି ମଣ ନାହିଁ ଜାଲ,

ରମ୍ଭାଠାରୁ ବୁଝିନେଲି ଖଲ୍ଲିକୋଟ ହାଲ ।

 

ବେଳ ଛଅଘଡ଼ିଠାରେ ତହୁଁ ରେଲ ଚଢ଼ି,

ଛତ୍ରପୁରେ ପହଞ୍ଚିଲି ଯାଇ ତଡ଼ବଡ଼ି ।

ଦେଖିଲି ସେଠାରେ କେତେ ନାଇଡ଼ୁ ଭଟ୍ଟଲାରଙ୍ଗା

ନୀରୋଳ ତେଲଙ୍ଗା ଭାଇ ନୀରୋଳ ତେଲଙ୍ଗା ।

 

ଓଡ଼ିଆ ଭାଷାର କଟା ତହିଁ ଜିହ୍ୱା ନାସା,

ଶୁଣିଲି ଖାଲି ଦୁର୍ବୋଧ୍ୟ ବଡ଼ମଡ଼ ଭାଷା ।

ତିନିରଙ୍ଗ ପୋଷାକ ଯେ ଜଣ ଜଣକର

ପଛଆଡ଼େ ଜୀବିକାନା ଉଡ଼େ ଫରଫର ।

 

ଶ୍ରେଷ୍ଠ ରାଜଧାନୀ ଏହୁ ଗଞ୍ଜାମ ଜିଲାର,

ଏହିଠାରେ ନିବସନ୍ତି ଜିଲା କଲେକ୍‌ଟର ।

ଭାବିଲି ଓଡ଼ିଆ ଏଥି ଥିବେ ନଉକରି,

ସେମାନଙ୍କୁ ନ ସଙ୍ଖୋଳି ଯିବି କେଉଁପରି ।

 

ରାମ ରାମ ଶୁଣି ବଡ଼ ଲାଗିଲା ତାଟଙ୍ଗା,

ପାଞ୍ଚଟି ଓଡ଼ିଆ ଆଉ କେବଳ ତେଲଙ୍ଗା ।

କିପରି ବାଛିବି ଭାବି ହୋଇଲି ଆକୁଳ,

ଡୋଲିଏ ଧାନରେ ମିଶା ମୁଠାଏ ଚାଉଳ ।

 

ସାକ୍ଷାତ କରିବା ସାଧ ହୋଇଲା ଅନ୍ତର,

ଉଦ୍ଦେଶ୍ୟେ ଜୁହାରି ତହୁଁ ହୋଇଲି ବାହାର ।

ଦୁଃଖ ମନେ ଘେନି ତହୁଁ ସକଳ ସାମାନ,

ବ୍ରହ୍ମପୁରେ ପହଞ୍ଚିଲୁ ଚଢ଼ି ଲୌହଯାନ ।

 

ଗଞ୍ଜାମ ଜିଲାର ଏହା ସୁପ୍ରସିଦ୍ଧ ସ୍ଥଳ,

ଷ୍ଟେସନ ପାଖରେ ଭାରି ଲାଗିଛି ଗହଳ ।

କେହି କହେ ରାଆ ଗାଆ କେହି କହେ ଗୁଣ୍ଡି,

ବୁଜୁଳି ଓଟାରି କେହି କହେ ‘‘ଆୟା-ବାଣ୍ଡି ।’’

 

ଭାଷା ଜଣାଗଲା ଯଥା ମହୁଫଣା ସିଠା,

ମୋର ମାତୃଭାଷା ସିନା ମୋ କାନକୁ ମିଠା ।

ଦୁଃଖ ଜାତ ହେଲା ମାତୃଭାଷାର ବିଚ୍ଛେଦୁ,

ଗାଡିବାଲା ପଚାରିଲା, ‘‘ଆୟା, ତେଲୁଗୁ ଲେଦୁ ।’’

 

ସିଆଣା ଲୋକଟା ପରେ ବୁଝି ନେଇ ସବୁ,

ଓଡ଼ିଆରେ ପଚାରିଲା- ‘‘ଝଟ୍‌କା ଲୋଡ଼ା ବାବୁ !’’

ଛ ପଇସା ଦେଇ ତହୁଁ କଲି ଖଣ୍ଡେ ଝଟ୍‌କା,

ନିସ୍ତାର ପାଇଲି ଗଲା ବାଟଚଲା ଖଟ୍‌କା ।

 

ବାଟେ ଚୁଡ଼ାପାଣି ନୂଆହାଣ୍ଡି-ଭାତ ଖାଇ,

ଲସମରେ ହେଉଥିଲା ଦେହଟା ଗୋଳାଇ ।

କୁଟିଦେଲା ଦେହ ଝଟ୍‌କା ହେମାମଦିସ୍ତା ପରି,

ସୁସ୍ଥ ହେଲି ଘୋଳାବିନ୍ଧା ଗଲା ଅପସରି ।

 

ଅଳ୍ପକ୍ଷଣେ ପ୍ରବେଶିଲି ସହର ମଧ୍ୟରେ,

ଯାଉଅଛି ଚାରୁପାଣି ବହି ଚତୁର୍ଦ୍ଧାରେ ।

ବାଜିଛି ଏଗାର ଘଣ୍ଟା କଚେରି ସମୟ,

ଯାଉଛନ୍ତି ଦଳେ ଦଳେ ଅମଲାନିଚୟ ।

 

କେହି ଗାଡି ଚଢ଼ି କେହି ବାଇସାଇକେଲ,

ଦଳ ଦଳ ହୋଇ କେତେ ଧାଆନ୍ତି ବି ଏଲ ।

ହାକିମ ଅମଲାଠାରୁ ଦୋକାନୀ ପସାରି,

ସର୍ବକାର୍ଯ୍ୟେ ତେଲଙ୍ଗାଏ ଶ୍ରେଷ୍ଠ ଅଧିକାରୀ ।

 

ଓଡ଼ିଆ ଜାତି କଷଣ ବର୍ଣ୍ଣି ହେବ ନାହିଁ,

ଗଛ ଛାଇ ତଳେ ଗଛ ଉଧାଏ କି ଭାଇ ।

ବୁଝିନିଅ ଜିଲାଯାକ କଥା ଏହିଠାରୁ,

ଗୋଟାଏ ଚିପନ୍ତି ସିନା ହାଣ୍ଡିଏ ଭାତରୁ ।

 

ଅଧିବାସୀ ସମସ୍ତଙ୍କ କଥା ଭଙ୍ଗା ଭଙ୍ଗା,

ବେଶ ଦେଖି ଚିହ୍ନି ନୁହେଁ ଓଡ଼ିଆ ତେଲଙ୍ଗା ।

ହାୟ ମା ଗଞ୍ଜାମ ଭୂମି ସୁକବି-ଜନନୀ

ଉତ୍କଳରେ ଥିଲୁ ତୁହି ଭାଷାଧନେ ଧନୀ ।

 

ଭାଷାରାଜ୍ୟେ କଳଙ୍କ ତୋ ଲାଗିଥିଲା ନାହିଁ,

କେତେଟା ଦିନରେ ଗଲା ବଣ ଘାସ ଛାଇ ।

କରୁଛି କ୍ଷତ ବିକ୍ଷତ ତୋ ଭାଷାର ଅଙ୍ଗ,

କଟକୀ ଭାଷାକୁ ଯାଆ କରୁଅଛି ବଙ୍ଗ ।

 

ତୋହର ସନ୍ତାନେ ଆହା ଏବେ ଦିନୁ ଦିନ,

ନୈରାଣ୍ୟଜଡ଼ତାବଶେ ହେଉଛନ୍ତି ହୀନ ।

ନାହିଁ କିଛି ଅଧିକାର ନାହିଁ ମଧ୍ୟ ଧନ,

ଛଡ଼ାଇ ନିଅନ୍ତି ଆନେ ତାଙ୍କ ମୁଖୁଁ ଅନ୍ନ ।

 

କଉଣସି କାର୍ଯ୍ୟେ ତାଙ୍କ କିଛି ଦାବୀ ନାହିଁ,

ନିଅନ୍ତି ଫାଲୁଆ ମାରି ଥାଆନ୍ତି ସେ ଚାହିଁ ।

ଯାଉ ସେ କଥା ଭାବିଲେ ହେବ କେଉଁ ଫଳ,

ଦୁଃଖ ସ୍ମୃତି ଦୁଃଖ ମାତ୍ରା ବଢ଼ାଏ କେବଳ ।

 

ଦେଖେଁ ଏଥେ ଛନ୍ତି କେଉଁ କେଉଁ ମହାଜନ,

ସ୍ୱଜାତି ଦୁଃଖରେ କାନ୍ଦେ କାହା କାହା ମନ ।

ହେ ପରଶୁରାମ ପାତ୍ର ପ୍ରଣାମ ପ୍ରଣାମ,

ଟାଣୁଆ ଓକୀଲ ବୋଲି ଡ଼ାକ ତୁମ୍ଭ ନାମ ।

 

ଶୁଣି ଥରେ ତୁମ୍ଭ ମୁଖୁଁ ଇଂରାଜୀ ବକ୍ତୃତା,

ପ୍ରାଣସ୍ପର୍ଶୀ, ଓଜସ୍ୱିନୀ ସୁକ୍ଷ୍ମ ନୀତିକଥା,

କରିଥିଲେ ସୁପ୍ରଶଂସା ତୁମ୍ଭ ବାଗ୍ମିତାର,

ବହୁବିଦ୍ୟା-ବିଶାରଦ ରାୟ କବିବର ।

 

ଢେର ରାଜା ଜମିଦାର ଗଞ୍ଜାମେ ଅଛନ୍ତି,

ତଥାପି ନ ହୁଏ ଦୂର ଓଡ଼ିଆ ଦୁର୍ଗତି ।

କି ଶିକ୍ଷା ସଭ୍ୟତା କିମ୍ବା ପ୍ରାଧାନ୍ୟ ସମ୍ପଦ,

ଗଞ୍ଜାମେ ଓଡ଼ିଆ ସର୍ବ କାର୍ଯ୍ୟେ ପଶ୍ଚାତ୍ପଦ ।

 

ସେମାନଙ୍କ ଏ ଜାତୀୟ ସଙ୍କଟ କାଳରେ,

ହେ ପରଶୁରାମ ମୁହିଁ ବିବେଚନା କରେ,

ପର୍ଶୁରାମଙ୍କର ତୁମ୍ଭେ ସାକ୍ଷାତାବତାର,

ଅନୁରୂପ ଅଟେ ମଧ୍ୟ ଆକାର ପ୍ରକାର ।

 

ଦେଶୋନ୍ନତି ମୂଳଭିତ୍ତି ଶିକ୍ଷାର ଉନ୍ନତି,

ବୁଝିଛ ଏ ଗୂଢ଼ନୀତି ତୁମ୍ଭେ ମହାମତି ।

ତେଣୁ ତୁମ୍ଭେ ସେ ବିଷୟେ ଶକ୍ତି ଅନୁଯାୟୀ,

ମୁକ୍ତହସ୍ତ ହୋଇ କୀର୍ତ୍ତି ଅର୍ଜୁଅଛ ଭାଇ ।

 

ବିପନ୍ନ ଓଡ଼ିଆଙ୍କର ଦୁଃଖ ବିମୋଚନେ,

ଚିନ୍ତିତ ସତତ ତୁମ୍ଭେ କାୟ କାବ୍ୟ ମନେ ।

କର୍ଣ୍ଣପାତି ନ କରିଣ ଖଳ କୁକଥାରେ,

ଦେଶହିତ ପୁଣି ଜାତିହିତ କାମନାରେ,

 

ଆଚରିଛ ଭାଇ ଯେଉଁ ପୂତ ସାଧୁକାର୍ଯ୍ୟ,

ତହିଁ ପାଇଁ ଅଟ ତୁମ୍ଭେ ମହାଜନ ପୂଜ୍ୟ ।

ଗୋଟାଏ କଥା ତୁମ୍ଭଙ୍କୁ ପଚାରନ୍ତି ଭାଇ,

ଗାଳିଦେବ ନାହିଁ କିମ୍ବା ରାଗିବ ତ ନାହିଁ ।

 

କଥା ବିବି ଖାଇବା ତ ଓକୀଲଙ୍କ କାର୍ଯ୍ୟ,

ଭୟ ହୁଏ କେଜାଣି ବା କରିପାର ଚାର୍ଜ ।

ଦିଅ ମୋ ପ୍ରଶ୍ନେ ଉତ୍ତର ନ କର ନିରାଶ,

କି ତପସ୍ୟା କଲେ ହୁଏ ବି.ଏ.ବି.ଏଲ. ପାସ୍‌?

 

ଅଧାସ୍ୱର୍ଗେ ଚେୟାରରେ ବସନ୍ତି ଓକୀଲେ,

ଚଉପାଶେ ବେଢ଼ିଥାନ୍ତି କେତେ ମହକିଲେ ।

କାର୍ତ୍ତିକ କରାଣ୍ଡି ପରି ପଇସା କଉଡ଼ି,

ଜୁଅଧରି ଅବିରତେ ଆସୁଥାଏ ମାଡି ।

 

ଓକୀଲଙ୍କ ସୁଖ ଦେଖି ଓକୀଲ ହେବାକୁ,

ହେଉଅଛି ମନ ମୋର ଭାରି ଟାକୁ ଟାକୁ ।

ବୁଢ଼ା ହେଲି, ଜନ୍ମେ ତ ହୁଡ଼ିଗଲି ପାହି,

କିନ୍ତୁ ପରଜନ୍ମେ କେବେ ଛାଡିଦେବି ନାହିଁ ।

 

ହେଉଛି ବିଦାୟ ଭାଇ ଘେନ ମୋ ସମ୍ମାନ,

ଗଞ୍ଜାମରେ ବୁଲିବାକୁ ଅଛି ଢ଼େର ସ୍ଥାନ ।

ଉଦ୍‌ଯୋଗୀ ପୁରୁଷ ଆହେ ଉତ୍କଳ-ବିନୋଦ,

କେ କରିବ ତୁମ୍ଭ ୠଣ ଭଲା ପରିଶୋଧ ।

 

ଗଞ୍ଜାମ ଓଡ଼ିଆ ପାଠ୍ୟ ପୁସ୍ତକ ଅଭାବ,

ଅନେକ ଅଂଶରେ ତୁମ୍ଭେ କଲ ତିରୋଭାବ ।

ଓଡ଼ିଆ ସମ୍ବାଦ ପତ୍ର ପ୍ରଥମେ ପ୍ରଚାର –

କରି ଗଞ୍ଜାମରେ କଲ ବହୁ ଉପକାର ।

 

ଯାହା ଇଚ୍ଛା ତାହା ପଛେ କହନ୍ତୁ ନିନ୍ଦୁକେ,

ନାହିଁ କିଛି ତୁମ୍ଭ କାର୍ଯ୍ୟ ଆବଦ୍ଧ ସିନ୍ଧୁକେ ।

କହନ୍ତି ସେମାନେ ତୁମ୍ଭେ ସଦା ଧାଇଁ ଧାଇଁ,

ଯେତେ କାର୍ଯ୍ୟ କର ସବୁ ନିଜ ପେଟ ପାଇଁ ।

 

‘‘ଭାପୁରର ନ୍ୟାୟ’’ ଏହା ଅଟଇ ଗୋଟିଏ,

ପେଟ ଚିନ୍ତା ସଂସାରରେ କରୁ ନାହିଁ କିଏ ?

ନୁହେଁ ଏ ତ ମନ୍ଦ କଥା ପେଯ ଚଳୁଥାଉ,

ଗୋଟା କେତେ ଦେଶକାର୍ଯ୍ୟ ମଧ୍ୟ ହୋଇଯାଉ ।

 

ଛାଡ଼ ଶାସ୍ତ୍ରୀ ସେ ଗୁଡ଼ାକ ନିନ୍ଦୁକର ଗ୍ଲାନି,

ସେଥିରେ ତୁମ୍ଭରି ଖ୍ୟାତି ହେବ ନାହିଁ ହାନି ।

ଜାଣେ ମୁହିଁ ଭଲରୂପେ ଆହେ ଶାସ୍ତ୍ରଗାରୁ,

କାଞ୍ଜିକୁ ଆଦର କର ଘୃଣା କର ଚାରୁ ।

 

ଯାଉଛି ମେଲାଣି ଦିଅ ଉତ୍କଳ-ବିନୋଦ,

ଥାଉ ଉତ୍କଳାଭିମାନ ଏହି ଅନୁରୋଧ ।

ଓଳଗି ଓଳଗି ନନା ହେ ବିଦ୍ୟାଭୂଷଣ,

ଦେଶ ପାଇଁ ତୁମ୍ଭେ କାର୍ଯ୍ୟ କରୁଅଛ କଣ ?

 

ସାହିତ୍ୟ-ସେବାରେ ରତ ଥିଲା କିଛି କାଳ,

ଏବେ ପରା ବ୍ୟସ୍ତ କଲା ବିଷୟ-ଜଞ୍ଜାଳ ।

ବିଷୟ-ମହାଜଞ୍ଜାଳେ ଯାର ମନ ଯିବ,

କିପାଇଁ ତାହାର ନାମ ହେବ ସଦାଶିବ ?

 

ବାହୁ ଠୁଙ୍କି ଅଣ୍ଟା ଭିଡ଼ି ନ ଉଠିଲେ ବାରେ,

ହୁଏ କି ଉନ୍ନତି ଖାଲି ସମାଲୋଚନାରେ ?

ବହୁଭାଷାଭିଜ୍ଞ ତୁମ୍ଭେ, ନୁହ ଝୁଟାମୋତି,

ଲେଖିଯାଅ ନନା ଭଲା ଖଣ୍ଡ କେତେ ପୋଥି ।

 

କହିଲି ଦି କଥା ଭାଇ ଗାଳିଦିଅ ନାହିଁ,

ଢେର ବର୍ତ୍ତବ୍ୟ ତୁମ୍ଭର ଅଛି ଦେଶ ପାଇଁ ।

ଭାଷା-ସଂସ୍କାରକ ଆହେ ଦାଶରଥି ପାଠୀ,

ପଢ଼ିଅଛ ବ୍ୟାକରଣ ପାଠ ଚାରି କାଠି ।

 

ଗଞ୍ଜାମରେ ଢ଼ୋଲ ପିଟା ଅଛି ତୁମ୍ଭ ନାମ,

ନାମ ଅନୁରୂପ କିଆଁ କରୁ ନାହିଁ କାମ ?

କର ଯୋଡି କହୁଅଛି ହେ ବୁଢ଼ାପଣ୍ଡିତ,

ଶେଷ କାଳେ ଭଲା କିଛି କର ଦେଶହିତ ।

 

ୠଷିପ୍ରକୃତି ପୁରୁଷ ଭଗବାନ ରଥ,

ତୁମ୍ଭ ନାମ ଉଚ୍ଚାରିଣ ହେଲି ମୁଁ କୃତାର୍ଥ ।

ହେ ମଉସା ହେଲେ ସୁଦ୍ଧା ବୟୋଽଧିକ,

ମାତ୍ର ତୁମ୍ଭେ ଅଟ ଜଣେ ଉଦାର ନୈତିକ ।

 

ଭାଷାତତ୍ତ୍ୱେ ଅଛି ତବ ଭଲ ଅଧିକାର,

ପୁଣି ବ୍ୟାକରଣେ ଜ୍ଞାନ ଅତି ଚମତ୍କାର ।

ସତ୍‌ପ୍ରସଙ୍ଗ ଆଲୋଚନା ଛାଡ଼ ନାହିଁ କ୍ଷଣେ,

ଏ ହେତୁ ମୁଁ ତବ ଗୃହେ ତୀର୍ଥସ୍ଥାନ ମଣେ ।

 

ଗଞ୍ଜାମ ଓଡ଼ିଆଙ୍କର ନୈତିକ ଚରିତ୍ର,

ତୁମ୍ଭରି ସତ୍‌ପରାମର୍ଶେ ହେଉଛି ଗଠିତ ।

ଗଞ୍ଜାମ ଓଡ଼ିଆଙ୍କର ହୃଦୟେ ଆପଣ,

ସ୍ୱେଦେଶାନୁରାଗ ବୀଜ କରିଛ ରୋପଣ ।

 

ଆହେ କ୍ଷଣଜନ୍ନା ଲଭେଁ ଆନନ୍ଦ ଅପାର,

ବୃଦ୍ଧକାଳେ ଦେଖି ତବ ଯୁବା ବ୍ୟବହାର ।

ଉତ୍ସାହ ଉଦ୍ୟମ ପୁଣି ଅଧ୍ୟବସାୟରେ,

କେଉଁ ଯୁବା ସରି ହେବ ତୁମ୍ଭ ସହିତରେ ।

 

ବହୁଗୁଣ ବଢ଼ୁ ତୁମ୍ଭ ଆୟୁ ପରମାଣ,

ହରିପଦେ ଏହା ମୋର ଏକାନ୍ତ ଜଣାଣ ।

ଆହେ ଦାନଏଲ ବାବୁ ପଡ଼ିଲ କି ଶୋଇ,

ଆଉ ତ ଦେଶମିଶ୍ରଣେ ମନ ଦେଇ ନାହିଁ ।

 

ଥରେ ଅଧେ ଚେଷ୍ଟା କରି ପଡ଼ିଲ କି ଥକି,

ଏତେ ଦୀର୍ଘସୂତ୍ରୀ ହେଲେ କାମ ଚଳିବ କି ?

ପ୍ରାଚୀନ-ବୟସ୍କ ଜଣେ ଅଟ ଏ ଜିଲାର,

ଅନେକ କରିଛ ଜନ୍ମଭୂମି ଉପକାର ।

 

ବୁଢ଼ା ହେଲ କ୍ରମେ ବଳ ଗଲା ଅପସରି,

ମାତ୍ର ମନୋବଳେ ପାର ସମୁଦ୍ରେ ପହଁରି ।

ନିଶ୍ଚିନ୍ତ ହୋଇଛ ତୁମ୍ଭେ ପାଇ ପେନ୍‌ସନ୍‌,

କରିଛନ୍ତି ଷୋଳକଳା ପୂର୍ଣ୍ଣ ଭଗବାନ ।

 

ଦେଶହିତ ସାଧ ଏବେ ସେହି ମୁଖ୍ୟ କାମ,

ଚିରକାଳ ଓଡ଼ିଆଏ ଗାଉଥିବେ ନାମ ।

ପରମାର୍ଥ ପରାୟଣ ହେ ପରମାନନ୍ଦ,

ଅତିଥି- ସେବାରେ ଲଭ ପରମ ଆନନ୍ଦ ।

 

କରୁଥିଲେ ଦେଶକାର୍ଯ୍ୟ ତୁମ୍ଭ ସାନ ଭାଇ,

ଦୂରନ୍ତ କାଳ ତାହାଙ୍କୁ ରଖିଦେଲା ନାହିଁ ।

ଉପଯୁକ୍ତ ଗୁରୁ ତୁମ୍ଭେ ଅଟ ତାହାଙ୍କର,

ଏଣୁ ତୁମ୍ଭଠାରେ ଆଶା ଅଧିକ ଦେଶର ।

 

କର କିଛି ଦେଶ ପାଇଁ ଏହି ନିବେଦନ,

ଅଛି ଅଧିକାର ପୁଣି କ୍ଷମତା ଓ ଧନ ।

ନୈତିକ-ସାହସ-ବୀର ଆହେ ରତ୍ନାକର,

ସତ ସତ ତୁମ୍ଭେ ଭାଇ ଅଟ ରତ୍ନାକର ।

 

ତୁମ୍ଭ ସଙ୍ଗେ ଥରେ ହେଲେ ଯେ କହିଛି କଥା,

ଜାଣେ ସେହି କି ପଦାର୍ଥ ଅଟଇ ନମ୍ରତା ।

କର୍ତ୍ତବ୍ୟବିମୁଖ ହୋଇ ବସ ନାହିଁ କ୍ଷଣେ,

ଦେଖି ନାହିଁ ତୁମ୍ଭପରି ସ୍ପଷ୍ଟବାଦୀ ଜଣେ ।

 

ନିଜର ସ୍ୱାଧୀନ ମତ ପରପଦେ ବଳି-

ଦେବା ଅନୁଚିତ, କିଏ ବୁଝେ ତୁମ୍ଭ ଭଳି ?

ବଡ ଆଶାଟାଏ ମୁହିଁ ପୋଷଣ କରିଛି,

ଦେଶହିତ କାର୍ଯ୍ୟ ତୁମ୍ଭେ କରିଯିବ କିଛି ।

 

ବୃହତ୍‌ଖେମଣ୍ଡି-ପତି ଦେବ କୃପାମୟ,

ସତ ସତ ତୁମ୍ଭେ ନୃପ ଅଟ କୃପାମୟ ।

ଦାନ, ଧର୍ମ, ଦେଶୋନ୍ନତି, ସାହିତ୍ୟ-ସେବାରେ,

ନିଯୁକ୍ତ ସତତ ତୁମ୍ଭେ ସାଧୁ ବ୍ୟବହାରେ ।

 

ଗୁଣଗ୍ରାହୀ ରାଜା ତୁମ୍ଭେ ବୁଝ ଗୁଣିଗୁଣ,

ପୁଣି ଅଟ ସୂକ୍ଷ୍ମଦର୍ଶୀ ସୁନୀତି-ନିପୁଣ ।

ତୁମ୍ଭର ସୁଖ୍ୟାତି ନୃପ କି ବର୍ଣ୍ଣିବି ଛାର,

କରୁଛି ‘‘ଗୁଣ-ଦର୍ପଣ’’ ସତତ ପ୍ରଚାର ।

 

ଗଙ୍ଗ ମହାବଂଶେ ରାଏ ଉଦ୍ଭବ ତୁମ୍ଭର,

ବଂଶ ଅନୁରୂପ କିଛି ବଡ କାର୍ଯ୍ୟ କର ।

ମିଷ୍ଟଭାଷୀ ସଦାଳାପୀ ମାର୍କଣ୍ଡେୟ ନନା,

ଦାଣ୍ଡରେ ଡାକୁଛି ମୁହିଁ ବସାରେ ଅଛ ନା ?

 

ଉଜ୍ଜ୍ୱଳ ତୁମ୍ଭର ନନା ଅଟେ ଶାସ୍ତ୍ରଜ୍ଞାନ,

ପାଇଅଛି ମୁହିଁ ତାର ସାମାନ୍ୟ ପ୍ରମାଣ ।

ଦେଶ-ଅନୁରାଗ ମଧ୍ୟ ଊଣା ନୁହେଁ ଅତି,

ବିଷୟ ଜ୍ଞାନରେ ତୁମ୍ଭେ ଅଟ ବୃହସ୍ପତି ।

 

କିନ୍ତୁ ଭାଇ କାଳ ନିତ୍ୟ ପରିବର୍ତ୍ତନଶୀଳ,

ଯଥାଶକ୍ତି କାର୍ଯ୍ୟ କର ଥାଉଁ ଥାଉଁ ବେଳ ।

ଦୁଇ ନାବେ ଗୋଡ଼ ଦେଇ ବୁଡ଼ିଯିବା ନୀତି,

ଭଲ ଜଣା ଆପଣଙ୍କୁ କି କହିବି ଇତି ।

 

ନାମ ଅନୁରୂପ ହୁଅ ଗୁଣର ଦର୍ପଣ,

ପାରଦ ନ ଥିଲେ କାଚେ କେଉ ପ୍ରୟୋଜନ ?

କାଶୀନାଥ ରାଜଗୁରୁ ରହିଅଛ କାହିଁ,

‘ସମାଜ-ମିତ୍ର’ ତ ଗଲା ଆକାଶେ ମିଳାଇ ।

 

ତୁଚ୍ଛାଟାରେ ଗାଳିଦେଲ ଦେଶାଗ୍ରଣୀଗଣେ,

ତୁନିହୋଇ ବସିଅଛ ଏବେ ଘରକୋଣେ ।

ହେ ମଧୁସୂଧନ ମିଶ୍ର-ତର୍କ-ବାଚସ୍ପତି,

ଜାଣେ ମୁଁ ପ୍ରଖରା ତୁମ୍ଭ ପ୍ରତ୍ୟୁତ୍ପନ୍ନ ମତି ।

 

ବାମଣ୍ଡାରେ ଉଠୁଥିଲା ପ୍ରତିଭା ବିକଶି,

ଜଡ଼ା ହେଇ କିଆଁ ବଡ଼ଖେମୁଣ୍ଡିରେ ବସି ?

ପୋଷିଅଛି ମୁଁ ଅନେକ ଆଶା ତୁମ୍ଭଠାରେ,

ଶେଷ କରିଦିଅ ନାହିଁ ‘‘ତାରାଶଶାଙ୍କ’’ରେ ।

 

ପ୍ରଧାନ ପଣ୍ଡିତ ତୁମ୍ଭେ କର କିଛି କାମ,

ଗଞ୍ଜାମ ଜିଲାରେ ଭଲା ରଖିଯାଅ ନାମ ।

ଚେଷ୍ଟାକର ଶୁଦ୍ଧ ହେଉ ଗଞ୍ଜାମର ଭାଷା,

ଭାଷାର ସାପେକ୍ଷ ସିନା ଉନ୍ନତିର ଆଶା ।

 

ସାହିତ୍ୟ-ରସିକ ରାଜା ନିକଟରେ ଥାଇ,

ତୁନି ହୋଇ ବସିବାଟା ଶୋଭା ପାଉ ନାହିଁ ।

ଅତଏବ କିଛି କାର୍ଯ୍ୟ କର ଦେଶ ପାଇଁ,

ପ୍ରଣମି ବିଦାୟ ହେଲି ପଣ୍ଡିତ ଗୋସାଇଁ ।

 

ଆସିକାରେ ମେନ୍‌ଚେନ୍‌ କୋମ୍ପାନୀ କାର୍ଖାନା,

ଅନେକ ଦୀନଦୁଃଖୀଙ୍କୁ ଦେଉଅଛି ଦାନା ।

ହରିହର ବିଶ୍ୱନାଥ ଯୁଗଳ ଓକୀଲ,

ଆବରି ବସିଛ ତୁମ୍ଭେ ଓଡ଼ିଆ ମୌକିଲ ।

 

ଉଭୟ ମିଳନ ତବ ଶୁଭକର ଅତି,

ବ୍ୟସ୍ତ ସଦା ତଡ଼ିବାକୁ ଗଞ୍ଜାମ ଦୁର୍ଗତି ।

ଓକୀଲଙ୍କ ମଧ୍ୟେ ତୁମ୍ଭେ ଯୋଡ଼ିକ ଓଡ଼ିଆ,

ଏଣୁ ଓଡ଼ିଆଙ୍କ ଦୁଃଖେ କାନ୍ଦେ ତବ ହିଆ ।

 

ଗଞ୍ଜାମ ଓଡିଆଙ୍କର ଦୁଃଖ ପ୍ରତିକାର-

ପାଇଁ ଜଣାଉଛ ରାଜଦ୍ୱାରରେ ବାରମ୍ବାର ।

ସେଥିଲାଗି ତୁମ୍ଭଙ୍କୁ ମୁଁ ଦେବି ଧନ୍ୟବାଦ,

ନିଶ୍ଚୟ ଲଭିବି ତୁମ୍ଭ ବିଭୁ-ଆର୍ଶୀବାଦ ।

 

ଯେ କରେ ନିଃସ୍ୱାର୍ଥ ଭାବେ ମାତୃଭୂମି କାମ,

କରନ୍ତି ଗୋବିନ୍ଦ ତାର ସିଦ୍ଧ ମନସ୍କାମ ।

ଓକିଲାତି କରି କେତେ ଅରଜିଲ ଡାବୁ,

ଦେଶ ପାଇଁ ତହୁଁ କିଛି ଖର୍ଚ୍ଚ କରୁ ବାବୁ ।

 

ଅତୁଳ ସମ୍ମାନାସ୍ପଦ ଧରାକୋଟ-ନାହା,

ନାମେ ମଦନମୋହନ ରୂପେ ମଧ୍ୟ ତାହା ।

ଧାର୍ମିକ, ଚତୁର, ଧୀର, ଶାନ୍ତ, ସଦାଶୟ,

ବିଚକ୍ଷଣ ନରପତି ସର୍ବଗୁଣାଳୟ ।

 

ଉତ୍କଳ ମହାସଭାର ହୋଇ ସଭାପତି,

ଗଞ୍ଜାମ ଗୌରବ ବୃଦ୍ଧି କରିଛ ନୃପତି ।

ବିଳାସ-କ୍ରୋଡରେ ତୁମ୍ଭେ ନ ହୋଇ ପାଳିତ,

ଦେଖୁଛି ମୁଁ ଥାଅ ସଦା କର୍ତ୍ତବ୍ୟ-ନିରତ ।

 

ଜାଣ ତୁମ୍ଭେ ଆହେ ରାଜା ସୁନୀତି-କୁଶଳ,

ପ୍ରଜାଙ୍କ ମଙ୍ଗଳେ ସିନା ରାଜାଙ୍କ ମଙ୍ଗଳ ।

ପ୍ରଜାଙ୍କ କୁଶଳ ହେତୁ ତେଣୁ ନାନା କାମ,

କରୁଅଛ ଶୀଘ୍ରହସ୍ତ ହୋଇ ଅବିରାମ ।

 

ଜୟସିଂହ କୃଷ୍ଣସିଂହ ଆଦି ରାଜକବି,

ଯେଉଁ ସିଂହାସନେ ବସି ବାଗ୍‌ଦେବୀଙ୍କୁ ସେବି,

ମରି ଅମରତା ଲଭି କୀର୍ତ୍ତି-କଳେବରେ,

ଭ୍ରମୁଛନ୍ତି ଦ୍ୱାରେ ଦ୍ୱାରେ ଉତ୍କଳ ଦେଶରେ,

 

ସେହି ପୂତ ସିଂହାସନେ ତୁମ୍ଭେ ତ ଆସୀନ,

କାହିଁକି ବା ଦେଶକାର୍ଯ୍ୟେ ହେବ ଉଦାସୀନ ?

ଜୀବନ ଯୌବନ ଧନ ନୁହେଁ ଦିକଡ଼ାର,

‘‘କୀର୍ତ୍ତିର୍ଯ୍ୟସ୍ୟ ସଜୀବତି’’ ଏହି ନୀତି ସାର ।

 

ମର୍ଯ୍ୟାଦା ସମ୍ଭବ ଉଚ୍ଚ ପଦ ଆଧିପତ୍ୟ,

ସକଳେ ଅସତ୍ୟ ମାତ୍ର ସତ୍ୟ ଏକା ସତ୍ୟ ।

ବୁଝିଛ ଏ ଗୂଢ଼ନୀତି ତେଣୁ ସଯତନେ,

ସତ୍ୟ ପାଳୁଅଛି ରାଏ କାୟ ବାକ୍ୟ ମନେ ।

 

ପ୍ରାତର୍ନମଃ ବାସୁଦେବ ମହାପାତ୍ର ଶର୍ମା,

ହୋଇଛି ଦେଶ ବିଷୟେ କି ହେତୁ ନିଷ୍କର୍ମା ?

ଅତିରିକ୍ତ ସ୍ପଷ୍ଟବାଦୀ ଅଟ ତୁମ୍ଭେ ନନା,

ବର୍ତ୍ତମାନ ଯୁଗଧର୍ମ ଶାସ୍ତ୍ରେ ତାହା ମନା ।

 

ଖାଲି ସ୍ପଷ୍ଟବାଦିତାରେ ଦେଶୋନ୍ନତି କାହିଁ,

ଢେର କାମ କରିବାକୁ ହେବ ଦେଶ ପାଇଁ ।

ଜଣାଶୁଣା ତୁମ୍ଭେ ଜଣେ ସଂସ୍କୃତ ପଣ୍ଡିତ,

ନ ହୁଅ ପଛକେ ଭାଇ କୁଣ୍ଡଳ-ମଣ୍ଡିତ ।

 

ଭାଷାରେ ସଂସ୍କୃତ ପୋଥି କେତେ ଖଣ୍ଡ ଭାଙ୍ଗ,

ମିଳିବ ପୁରୁଣା ପୋଥି ଖୋଜିଆଣ ଚାଙ୍ଗ ।

କହିଲି, ଭ୍ରାତୃଭାବରେ ଖପା ହୁଅ ନାହିଁ,

ନୋହିଲେ ପଛକେ ଦିଅ ମୋ କଥା ଫେରାଇ ।

 

କୁହା ତୁଣ୍ଡ ବୁହା ପାଣି ହୁଏ ନାହିଁ ସ୍ଥିର,

କହିଲି ଦ୍ୱିପଦ ଗାଲିଦିଅ ଅବା ମାର ।

ଅତଏବ ମାତୃସେବା କର ହେ ସମ୍ବଳ,

ନିଶ୍ଚୟ ମିଳିବ ତହୁଁ ଚତୁର୍ବର୍ଗ ଫଳ ।

 

ନବୀନ ଯୁବକ ଆହେ ବଡ଼ଗଡ଼-ପତି,

ଚହଟି ଉଠୁଛି ନାମ ଦିନୁ ଦିନୁ ଅତି ।

ଅତି ଅଳ୍ପଦିନ ମଧ୍ୟେ ପାଇ ରାଜ୍ୟଭାର,

କଲଣି ଅନେକ, ରାଜା, ରାଜ୍ୟର ସଂସ୍କାର ।

 

ରଖି ଓଡ଼ିଆ ସିରସ୍ତା ଓଡ଼ିଆ ଗୁମାସ୍ତା,

ସ୍ୱଜାତି ସ୍ୱଭାଷା ପ୍ରତି ଦେଖାଇଛ ଆସ୍ଥା ।

ଏହି ହେତୁ ତୁମ୍ଭ କଥା ମୋ ମନକୁ ଆସେ,

କହନ୍ତି ପରା ତୁଳସୀ ଦୁଇ ପତ୍ରୁ ବାସେ ।

 

ବିଶ୍ୱପତି-ପଦେ ରାଜା ! କରୁଛି ଜଣାଣ,

ଦୀର୍ଘଜୀବୀ ହୋଇ ସାଧ ଦେଶର କଲ୍ୟାଣ ।

ଦଣ୍ଡବତ ଦଣ୍ଡବତ ପବିତ୍ର ପାରଳା,

ପ୍ରାଚୀନ ଜ୍ୟୋତିର୍ବିଦ୍ୟାରେ ଥିଲୁ ତୁ କୁଶଳା ।

 

ପଦ୍ମନାଭ ନାରାୟଣ ଆହା ରାଜ-ଭାଇ,

ପୂର୍ଣ୍ଣଚନ୍ଦ୍ର ପରି ଥିଲେ ପାରଳାରେ ଉଇଁ ।

କାଳବଶେ ଅକାଳେ ସେ ହୋଇଗଲେ ଅସ୍ତ,

ଗଞ୍ଜାମ ଜିଲାର ଗଲା ଛିଡ଼ି ଦକ୍ଷହସ୍ତ ।

 

ଧନ୍ୟ ରାଜଭ୍ରାତା ତୁମ୍ଭେ ଥିଲ ମହାକୃତୀ,

ଗାଉଛି କୁମ୍ଭର ଯଶ କଲେଜ ପ୍ରଭୃତି ।

କର୍ମବୀର ଥିଲ କରି ଗଲ ଦେଶକାମ,

ଇତିହାସେ ସ୍ୱର୍ଣ୍ଣାକ୍ଷରେ ଥିବ ତୁମ୍ଭ ନାମ ।

 

ବିଚକ୍ଷଣ ରାଜଗୁରୁ ହେ ଶ୍ୟାମସୁନ୍ଦର,

ଆଦ୍ୟ ଗ୍ରାଜୁଏଟ୍‌ ତୁମ୍ଭେ ଗଞ୍ଜାମ ଜିଲାର ।

ଗଞ୍ଜମାବାସୀଏ ଏଣୁ ଥିଲେ ଆଶା କରି,

ସର୍ବାକାର୍ଯ୍ୟେ ହେବ ତୁମ୍ଭେ ଅଗ୍ରଣୀ ଏପରି ।

 

ସେଥିର ଚିହ୍ନସ୍ୱରୂପ ବୋଲାଯାଇପାରେ,

ସଭାପତି ହେଲ ଆଦ୍ୟ ଗଞ୍ଜାମ ସଭାରେ ।

ଭାଷାତତ୍ତ୍ୱେ ଆପଣଙ୍କୁ ନିବିଷ୍ଟ କିଞ୍ଚିତ,

ହୋଇଥିଲୁଁ ଆମ୍ଭେମାନେ ଦେଖି ଆଶାନ୍ୱିତ ।

 

ଅନ୍ନଚିନ୍ତାରୁ ତ ତୁମ୍ଭେ ଭାଗ୍ୟବଶେ ମୁକ୍ତ,

ପରାଧୀନ ନୋହି ପୁଣି ସ୍ୱାଧୀନତାଯୁକ୍ତ ।

ତୁମ୍ଭପ୍ରତି ଉଚ୍ଚଭାବ ଦେଶର ଯେପରି,

ଯଶସ୍ୱୀ ହୁଅ ସେପରି ଉଚ୍ଚକାର୍ଯ୍ୟ କରି ।

 

ହିତୈଷିଣୀ ସମାଜକୁ ପୁନରୁଜ୍ଜୀବିତ-

କରି, ନବୀନ ଉତ୍ସାହେ ସାଧ ତାର ହିତ ।

ସମାଜ ଆଭ୍ୟନ୍ତରିକ ରହସ୍ୟ ସକଳ,

ବିଦୂରିତ କରି ତାକୁ କର ସୁନିର୍ମଳ ।

 

ଅଟ ତୁମ୍ଭେ ଉତ୍କଳର କୃତିପୁତ୍ର ଜଣେ,

ଏହି କଥା ଭାଇ ସଦା ରଖିଥିବ ମନେ ।

ବିଶେଷେ ଗଞ୍ଜାମ ପୁଣି ସମଗ୍ର ଉତ୍କଳ,

ତୁମ୍ଭ ମୁଖାପେକ୍ଷୀ ହୋଇ ରହିଛି କେବଳ ।

 

ସାହିତ୍ୟ-ସେବକ ଆହେ ଗୋପୀନାଥ ନନ୍ଦ,

ଛାପା ହେଲା ନାହିଁ ପୋଥି ନୁହ ନିରାନନ୍ଦ ।

ଲେଖିଯାଅ ଉତ୍ସାହରେ ଦିଅ ନାହିଁ ଚାପା,

ଲେଖାଥିଲେ କେବେ ହେଲେ ହୋଇପାରେ ଛାପା ।

 

ଉପଇନ୍ଦ୍ର କବିସୂର୍ଯ୍ୟ ସାହିତ୍ୟ ସୂ-ରଥୀ,

ଛାପି ଯାଇଥିଲେ ନାହିଁ ନିଜକୃତ ପୋଥି ।

ପ୍ରାକୃତ ଶବ୍ଦ ସଂଗ୍ରହେ ଦେଇଅଛ ହାତ,

ସାମାନ୍ୟ କଠିନ କାର୍ଯ୍ୟ ନୁହଇ ଏହା ତ ।

 

ସେଥିପାଇଁ ଧନ୍ୟବାଦ କରୁଛି ଅର୍ପଣ,

ସେହି ମହାଗ୍ରନ୍ଥ କର ଶୀଘ୍ର ସମାପନ ।

କହିବି ଗୋଟିଏ କଥା ଗୋପୀନାଥ ନନ୍ଦ,

କୃଦନ୍ତ ତଦ୍ଧିତ ଲେଖା କର ନାହିଁ ବନ୍ଦ ।

 

ସାଧିଯାଅ ନୂଆ ଶବ୍ଦ ଘୋଷାରି ଓଟାରି,

ଆଇ ଶବ୍ଦେ ମାରେ ପ୍ରତେ ସାଧ ଆଲମାରି ।

ଆହେ ଗୌରଚନ୍ଦ୍ର ପାତ୍ର ଉତ୍ସାହୀ ଯୁବକ,

ପେଟ ଲାଗି ତୁମ୍ଭର ତ ନାହିଁ ଚିନ୍ତାଦକ ।

 

ସ୍ୱାଧିନତା ବିକ୍ରି କଲ କିପାଁ ଅକାରଣ,

ପାତ୍ର ହୋଇ ଅପାତ୍ର ଯେ ହୋଇଲ ଆପଣ ।

ଏବେ ସୁଦ୍ଧା ବେଳ ଅଛି ରହ ନାହିଁ ବସି,

ଯଥାଶକ୍ତି କାର୍ଯ୍ୟ କରି ହୁଅ ହେ ଯଶସ୍ୱୀ ।

 

ହେ ବାବୁ ଅପର୍ଣ୍ଣା ପଣ୍ଡା ଶାନ୍ତ ଶିଷ୍ଟ ଧୀର,

ଦେଶୋନ୍ନତି କାର୍ଯ୍ୟେ ତୁମ୍ଭେ ଅଟ ବାକ୍ୟବୀର ।

ମାତ୍ରକ କାର୍ଯ୍ୟରେ କିଛି ଜଣାଯାଇ ନାହିଁ,

ଶରତ୍‌କାଳ ମେଘ ଖାଲି ଗର୍ଜେ ସିନା ଭାଇ !

 

ପୃଥିବୀରେ ଅଭାବ କି ଅଛି ବାକ୍ୟବୀର,

କାର୍ଯ୍ୟେ ପରିଚୟ ଦିଅ ସ୍ୱଦେଶ-ପ୍ରୀତିର ।

ଅଛି କିଛି ଶକ୍ତି ଗଦ୍ୟପଦ୍ୟ ରଚନାରେ,

ଯତ୍ନ କର ତାର ବୃଦ୍ଧି ସଦ-ବ୍ୟବହାରେ ।

 

ଆହେ ବଳଭଦ୍ର ନନ୍ଦ କଥୋପକଥନେ,

ବୁଝିଲି ତୁମ୍ଭେ ଶିକ୍ଷିତ ସଦୁତ୍ସାହୀ ଜଣେ ।

ତୁମ୍ଭେ ଯତ୍ନ କଲେ ମୁହିଁ ମନରେ ବିଚାରେଁ,

ଦେଶ ଉପକାର କେତେ ଗୋଟା ହୋଇପାରେ ।

 

ସାହିତ୍ୟାନୁରାଗ ତବ ସୁପ୍ରଶଂସନୀୟ,

ମାତ୍ର କିଛି ଦେଲ ନାହିଁ କାର୍ଯ୍ୟେ ପରିଚୟ ।

ଭାବିଥିଲି ଢ଼େର କାମ ତୁମ୍ଭ ହାତେ ହେବ,

କିନ୍ତୁ ହିମାଚଳ କଲା ମୂଷିକ ପ୍ରସବ ।

 

ନବୀନ ଯୁବକ ତୁମ୍ଭେ ଅଟ ତତାଲହୁ,

କରିଯାଅ ଦେଶକାମ ଯଶଖ୍ୟାତି ରହୁ ।

ଆଉ କେତେ ଜଣ ଯାଇ କସିବେଳୁ ପାଚି,

ହେଉଛନ୍ତି ଦେଶ ଦେଶ କହି କୁଦି ନାଚି ।

 

ହେଉ ଦେଶକାର୍ଯ୍ୟ ହେଉ ଅତି ଭଲ କଥା,

କଳହ କୁକଥା କିନ୍ତୁ ବର୍ଜିତ ସର୍ବଥା ।

ଆକାରେ ମଞ୍ଜୁଷା ସମ ମଞ୍ଜୁଷା ନଗରୀ,

ପାର୍ଶ୍ୱେ ଉଭା ପୌରାଣିକ ମହେନ୍ଦ୍ର ଶିଖରୀ ।

 

ବର୍ଣ୍ଣି ନୋହେ ମହେନ୍ଦ୍ରର ଶୋଭା ଅନୁପମ,

ଅତି ଉଚ୍ଚ ଗିରିବର ଦେବତାଙ୍କ ଧାମ ।

ଚାହିଁଲି ପର୍ବତେ ଫାଟି ପଡ଼ିଲା ମୋ ଆଖି,

ଜାଣିବାକୁ ମୋର ଆଉ ନ ରହିଲା ବାକୀ ।

 

ପୃଥିବୀ ମଧ୍ୟରେ ମୁହିଁ କେଡ଼େ କ୍ଷୁଦ୍ର ଜୀବ,

କେତେ କହ କ୍ଷମତା ବା ମୋହଠାରେ ଥିବ ।

ସମ୍ମୁଖରେ ମହତର ଦେଖି ମହାସତ୍ତା,

ସ୍ୱତଃ ଉବଲବ୍‌ଧ ହୁଏ ନିଜର କ୍ଷୁଦ୍ରତା ।

 

ମହେନ୍ଦ୍ର-ଆବାସଯୋଗ୍ୟ ମହେନ୍ଦ୍ର ତୁ ଅଟୁ,

ସଙ୍କେତରେ ମହାତତ୍ତ୍ୱ ଶିକ୍ଷାଦାନେ ପଟୁ ।

ଅନନ୍ତ ନୀଳିମାମୟ ତୋ ଚାରୁ ମୂରତି,

ଜନ୍ମାଏ ଦର୍ଶକ ମନେ ପୀରତି ଭକତି ।

 

ଶିଳ୍ପୀ ନୁହେଁ, କି ଚିତ୍ରିବି ତୋର ଚାରୁଚ୍ଛବି,

ଅର୍ଦ୍ଧକାବ୍ୟେ ଚିତ୍ରିଛନ୍ତି କିଛି ରାୟକବି ।

ଶ୍ରୀନିବାସ ପଟ୍ଟଦେବ ଯୁବରାଜ ଧନ୍ୟ,

ଯୋଗ୍ୟପିତା ପୁତ୍ର ତୁମ୍ଭେ ମଞ୍ଜୁଷା-ମଣ୍ଡନ ।

 

ପ୍ରବୀଣ ନୃପତି ପରି ପାଳୁଅଛ ରାଜ୍ୟ,

କେତେ ଥର ଭାବେଁ ମୁହିଁ ଶୁଣି ତୁମ୍ଭ କାର୍ଯ୍ୟ ।

ଗଜାରୁ ତ ଯୁବରାଜେ ହେଲେଣି ଏପରି,

କି ନୋହିବେ ଗଛ ହେଲେ ଶାଖାପତ୍ର ଧରି ।

 

ହେଉଛୁ ସହାୟ ତବ ସଦା ଭଗବାନ,

ପିତାପୁତ୍ର ମିଳି ସାଧ ରାଜ୍ୟର କଲ୍ୟାଣ ।

ଗଦାଧର କବିରାଜ ହେ ବିଦ୍ୟାଭୂଷଣେ,

ଅଟ ଦେଶକାଳଦର୍ଶୀ ପଣ୍ଡିତ ଆପଣେ ।

 

ସ୍ୱେଦେଶ ତୁମ୍ଭଙ୍କୁ ଅଛି ଆଶା ନେତ୍ରେ ଚାହୁଁ,

ବହିଗଲା ବେଳ କିଛି କର ତାହା ପାଇଁ ।

କି କହିବି, ତୁମ୍ଭଙ୍କୁ ବା କିସ ଅବିଦିତ,

ବିଷୟେ ଆସକ୍ତ ସଦା ନୁହଇ ଉଚିତ ।

 

ପଠାଣି ସାଆନ୍ତଙ୍କର ତୁମ୍ଭେ ଯୋଗ୍ୟ ଚାଟ,

କୀର୍ତ୍ତି ରଖ ଅନୁସରି ତାଙ୍କ ଗମ୍ୟ ବାଟ ।

ସାତ୍ତ୍ୱିକ ଭାବରେ ଶେଷ ଜୀବନ ଅତୀତ,

କରିବା ଅଟଇ କାର୍ଯ୍ୟ ଯୋଗ୍ୟଜନୋଚିତ ।

 

‘‘ସିଦ୍ଧାନ୍ତଦର୍ପଣ’’ ଟୀକା କେତେ ଲେଖାହେଲା,

ଲେଖିଯାଅ ଲେଖିଯାଅ କର ନାହିଁ ହେଳା ।

ପ୍ରତିଭାଶାଳୀ ପଣ୍ଡିତ ଖ୍ୟାତ ତୁମ୍ଭ ନାମ,

ବିଦାୟ ହେଲି ମୁଁ ଘେନ ସଭକ୍ତି ପ୍ରଣାମ ।

 

ବାରୁଆ ମାଲିକଦାର ହେ ଖାଡ଼ଙ୍ଗା ବାବୁ,

ଜମା କରି ରଖିଦିଅ ଘରେ ସବୁ ଡାବୁ ।

ଦେଶ ପାଇଁ ଖର୍ଚ୍ଚ କରି କି ହେବ ଖାଡଙ୍ଗା,

କିଣିଆଣ ଚିତାପାଣ୍ଡୁ ହେବ ଚାରୁ ଅଡ଼ଙ୍ଗା ।

 

ମୁଖିଆ ଓଡ଼ିଆ ଜଣେ ଥିଲ ତୁମ୍ଭେ ଭାଇ,

କିନ୍ତୁ ସ୍ୱଜାତିର ହିତ କିଛି କଲ ନାହିଁ ।

ଭାଇ ନରସିଂହ ଦାସେ ଦେଶ ମହାମିତ୍ର,

ତୁମ୍ଭ ନାମ ଉଚ୍ଚାରିଣ ହେଲି ମୁଁ ପିବତ୍ର ।

 

କାହା ମୁହଁ ଚାହିଁଥିଲି ଆଜି ମୁଁ ସକାଳେ,

ନିଶ୍ଚେ କିଛି ଶୁଭଫଳ ଅଛି ମୋ କପାଳେ ।

ଦିଅ ଆଗେ ପଦଧୂଳି ପତାଇଲି ମଥା,

ପଛେ କୁହାକୁହି ହେବା ସୁଖଦୁଃଖ କଥା ।

 

‘‘ଆକାର ସଦୃଶ ପ୍ରାଜ୍ଞଃ’’ ବାକ୍ୟ ତୁମ୍ଭଠାରେ,

ସଫଳ ହୋଇଛି ଭାଇ ଅକ୍ଷରେ ଅକ୍ଷରେ ।

ତୁମ୍ଭ ପରି ଧୀର ସ୍ଥିର ସୁସଂଯତମତି,

ବିରଳ ଉତ୍କଳେ ପୁଣି ଗଞ୍ଜାମରେ ଅତି ।

 

ଦେଶ ପାଇଁ କାନ୍ଦୁଅଛ ତୁମ୍ଭେ ଅବିରାମ,

ପ୍ରାଣପଣେ ସାଧୁଅଛ ମାତୃଭୂମି କାମ ।

ଏ ହେତୁ ମୁଁ ମୋ ହୃଦୟ ଶ୍ରେଷ୍ଠତମ ସ୍ଥାନେ,

ବସାଇଅଛି ତୁମ୍ଭଙ୍କୁ ଶ୍ରେଷ୍ଠତମାସନେ ।

 

‘‘ଜନନୀ ଜନମ ଭୂମି ସ୍ୱର୍ଗୁ ଗରୀୟସୀ’’

ସ୍ମରି ଏହି ମହାବାକ୍ୟ ହେ ଗଞ୍ଜାମଶଶି !

ଅମର କୀରତି ଲାଭେ ସଦା ଚେଷ୍ଟାକର,

ବିଦାୟ ହେଲି ହେ ଦେବ-ପ୍ରକୃତିକ ନର ।

 

ଆହେ ଅଭିମନ୍ୟୁ ପଟ୍ଟାନାୟକ ସାଆନ୍ତେ,

ତୁମ୍ଭଙ୍କୁ ସମ୍ମାନ ମୁହିଁ କରିବି ଏକାନ୍ତେ ।

ଉପେନ୍ଦ୍ର ପଟ୍ଟନାୟକେ ଥିଲେ ତୁମ୍ଭ ଆଗେ,

ଲଭିଥିଲେ ଶ୍ରେଷ୍ଠସ୍ଥାନ ବିଚାର-ବିଭାଗେ ।

 

ପବିତ୍ର ଭାବରେ କରି କର୍ତ୍ତବ୍ୟ ପାଳନ,

କରୁଥିଲେ ଓଡ଼ିଆଙ୍କ ଗୌରବ ବର୍ଦ୍ଧନ ।

ଦୂରନ୍ତ କାଳ ତାହାଙ୍କୁ ରଖିଦେଲା ନାହିଁ,

ଭୁଲିଅଛୁଁ ତାଙ୍କୁ ଆମ୍ଭେ ତୁମ୍ଭ ମୁଖ ଚାହିଁ ।

 

ଜାତୀୟ ଭାଷା ଜାତୀୟ କ୍ରମୋନ୍ନତି ପ୍ରତି,

ଶୁଣିଛି ତୁମ୍ଭର ଅଛି ଅନୁରାଗ ଅତି ।

ସମ୍ପ୍ରତି ସାର୍ଥକନାମା ନରସିଂହଙ୍କର,

ହୋଇଛ ନିକଟବର୍ତ୍ତୀ ମିଳି ପରସ୍ପର ।

 

ଦେଶହିତ ଜାତିହିତ କାର୍ଯ୍ୟେ ସଦା ଲାଗ,

ଭାଗ୍ୟରେ ମିଳିଛି ଭାଇ ସୁବର୍ଣ୍ଣ ସୁଯୋଗ ।

ଧନ, ମାନ, ଏ ସଂସାରେ ନୁହେଁ ଚିରସ୍ଥାୟୀ

ଚାକିରି ଅଟଇ ଯଥା ତାଳଗଛ ଛାଇ ।

 

ଏହା ଭାବି କର କିଛି ଉପଯୁକ୍ତ କାମ,

ଚିରକାଳ ଓଡ଼ିଆଏ ଘୋଷୁଥିବେ ନାମ ।

ହେ ସୁରଙ୍ଗୀ ରାଜା ! ଶୁଣି ଛାତି ଯାଏ ଫାଟି,

କି କରିବ ତୁମ୍ଭଙ୍କୁ ତ ରୋଗ କଲା ମାଟି ।

 

ନିଦାରୁଣ ବ୍ୟାଧି-ମେଘ କାହୁଁ ଆସି ଧାଇଁ,

ପକାଇଲା ଯଶଃପ୍ରଭା ଅକାଳେ ଘୋଡାଇ ।

ନ ହୁଅ ନ ହୁଅ ରାଜା ନ ହୁଅ ହେ କ୍ଷୂଣ୍ଣ ।

ଯାହା ହରି ଇଚ୍ଛା ତାହା ହେବ ନିଶ୍ଚେ ପୂଣ୍ଣ ।

 

ସାମାନ୍ୟ ଆୟରେ ତୁମ୍ଭେ କରିଅଛ ଯାହା,

କରି ନାହାନ୍ତି ଅନେକ ବଡ଼ ରାଜା ତାହା ।

ସାହିତ୍ୟ-ରସିକ ତୁମ୍ଭେ ଚନ୍ଦ୍ରଚୂଡ଼ାମଣି,

ପୁଣି ଅଟ ସଦୁତ୍ସାହୀ ରହସ୍ୟର ଖଣି ।

 

ପାଇଲେ ସମ୍ବାଦପତ୍ର କିମ୍ବା ଭଲ ବହି,

ପଢ଼ୁଥାଅ ରାତିଯାକ ଉଜାଗର ରହି ।

ନାହିଁ ବଡ଼ଲୋକୀପଣ ଗର୍ବ ଅହଙ୍କାର,

ପାଞ୍ଚବର୍ଷ ପିଲାଙ୍କୁ ତ କର ସମାଦର ।

 

ତୁମ୍ଭର ସଦ୍‌ଗୁଣ ନୃପ କି ବର୍ଣ୍ଣିବି ଆଉ,

ଗାଉଛି ‘‘ଉତ୍କଳବାସୀ’’ ଚିରକାଳ ଗାଉ ।

ନାରୀକବି ସୁରଙ୍ଗୀର ରାଣୀ-ମହୋଦୟା,

କାବ୍ୟ-କାନନ କୋକିଳା ପବିତ୍ରହୃଦୟା ।

 

‘‘ସ୍ୱରଷୋଡ଼ଶୀ’’ କାବ୍ୟର ପଢ଼ି ପାଣ୍ଡୁଲେଖ୍ୟ

ଭକ୍ତିଭରେ ପ୍ରଣମୁଛି ମାତଃ ! ଲକ୍ଷ ଲକ୍ଷ ।

ଗଞ୍ଜାମର ନାରୀକବି ମଧ୍ୟେ ତୁମ୍ଭେ ସତି,

ଆଦର୍ଶସ୍ଥାନୀୟା, ରାଜକବି ତୁମ୍ଭ ପତି ।

 

ମଣିକାଞ୍ଚନ ସଂଯୋଗ କି ସୁନ୍ଦର କଥା,

ହୋଇଛି ସାର୍ଥକ ତୁମ୍ଭ ନିକଟେ ସର୍ବଥା ।

ଉତ୍କଳ-ସଭାକୁ କରି ଆର୍ଥିକ ସାହାଯ୍ୟ

କରିଅଛ ଆହେ ରାଣି ! କାର୍ଯ୍ୟ ପରି କାର୍ଯ୍ୟ ।

 

ପ୍ରଥମତଃ ଦେଖାଇଲ ତୁମ୍ଭେ ସୁନମୁନା,

ଉତ୍କଳରେ କେଉଁ ନାରୀ ତୁମ୍ଭର ତୁଳନା ।

ବିଭୁପଦେ ଜଣାଉଛି ଯୋଡି ହସ୍ତ ବେନି,

ସର୍ବ ସୁଖେ ଥାଅ ଦେବି ! ଏହି ମୋ ମାଗୁଣି ।

 

ସୁରଙ୍ଗୀ ନୃପତି ଭ୍ରାତା ଆହେ ଚକ୍ରପାଣି,

କରିପାର ବାକ୍ୟେ ତୁମ୍ଭେ ପଥରକୁ ପାଣି ।

କି କି କାର୍ଯ୍ୟ କରିଅଛ ଖୋଜ ଚିଠା ଖାତା,

କି ଅଭାବ ତାହାର ହେ ରାଜା ଯାର ଭ୍ରାତା ।

 

ମଧ୍ୟାହ୍ନର ଫଳାହାର ଛାଡି କିଛି ଦିନ,

ସେହି ପଇସାଟା କର ଦେଶହିତେ ଦାନ ।

ଦୁଇ ଚାରି ଜଣ ଆଗ ହେଉନ୍ତୁ ମଣିଷ,

ନ ହେଉ ପଛକେ ଖିଆ ଖଜୁରା ପଣସ ।

 

କିହୋ ଭେଣ୍ଡା ସମ୍ପାଦକେ କବିରତ୍ନ ଭାଇ,

ଖୋଜୁଛି ଓଳିଏ ହେଲା ଦେଖା ଚାହାଁ ନାହିଁ ।

ଦେଶସେବା ମହାବ୍ରତେ ଦେଇଅଛ ହାତ,

ପାଳୁଛ କର୍ତ୍ତବ୍ୟ ଶକ୍ତି ଅନୁସାରେ ଭ୍ରାତ ।

 

ଅଟ ଜଣେ କବି ଏହା ଜଣାଶୁଣା କଥା,

ପଦ୍ୟ ରଚନାରେ ଅଛି ଅଦ୍ଭୁତ କ୍ଷମତା ।

ଖାଲି ‘‘ଉତ୍କଳବାସୀ’’କୁ ଘେନି ବସ ନାହିଁ,

ଆହୁରି ଢ଼େର କର୍ତ୍ତବ୍ୟ ଅଛି ଦେଶ ପାଇଁ ।

 

ଥିଲ ପଦ୍ୟ-ଅଳଙ୍କାର ହେଲ କବିରତ୍ନ,

ଭାଷା ଅଭିବୃଦ୍ଧି ପାଇଁ କର କିଛି ଯତ୍ନ ।

ବସିଅଛ ତୁମ୍ଭେ ଯେଉଁ ପବିତ୍ର ଆସନେ,

ତାହାର ମର୍ଯ୍ୟାଦା ରକ୍ଷା କର ପ୍ରାଣପଣେ ।

 

ରସଲକୁଣ୍ଡାରେ ଅଛ ଦୀନବନ୍ଧୁ ପାଳ,

ଆଉ ତ ବୁଝିଲ ନାହିଁ ଦେଶ ହାଲଚାଲ ।

କେତେ କଷ୍ଟେ ବିଦେଶରେ ରହି ପଢ଼ି ପାଠ,

ସୌଭାଗ୍ୟବଶରୁ ଶେଷେ ହେଇ ଗ୍ରାଜୁଏଟ୍‌ ।

 

ଦୀନ ଶିକ୍ଷାର୍ଥୀମାନଙ୍କ ସକାଶେ କିଞ୍ଚିତ,

ଚିନ୍ତା କରିବା ତୁମ୍ଭର ଥିଲା ଯେ ଉଚିତ ।

କି କହିବା ସେମାନଙ୍କ କପାଳ ତ ହୀନ,

ତେଣୁ ତୁମ୍ଭେ ସେ ବିଷୟେ ହେଲ ଉଦାସୀନ ।

 

ଦେଶସେବା ସଙ୍ଗେ ଆଉ ନାହିଁ ତବ ଭେଟ,

ମୁଖ୍ୟ ଚିନ୍ତାର ବିଷୟ ହେଲା ପରା ପେଟ ।

କହିବି ଯଥାର୍ଥ କଥା ଦିଅ ପଛେ ଗାଳି,

କବିତା ଶକ୍ତିକୁ ମଧ୍ୟ ଦେଲ ଜଳାଞ୍ଜଳି ।

 

ଯାଉ ଗଲା କଥା, ଅଛି ଏବେ ସୁଦ୍ଧା ବେଳ,

ଦେଶ ପ୍ରତି ତୁମ୍ଭର ଯା କର୍ତ୍ତବ୍ୟ ତା ପାଳ ।

ଉତ୍କଳ କୁସୁମ-କୁଣ୍ଡ କେଶର ଗଞ୍ଜାମ,

ସେ କେଶର ରେଣୁସମ ଘୂମୁଷର ଗ୍ରାମ ।

 

ସେ ପବିତ୍ର ରାଜ୍ୟେ ଉପଇନ୍ଦ୍ର ମହାକବି,

ଜନ୍ମିଥିଲେ ଯୋଗଜନ୍ମା କବିକୁଳରବି ।

କାଳବଶେ ହତଶିରୀ ଏବେ ସେହି ଗ୍ରାମ,

ନାହିଁ ସେ ଅଯୋଧ୍ୟା କିମ୍ବା ନାହାନ୍ତି ସେ ରାମ ।

 

ବେନି ବି.ଏ. ରଥ ପୁଣି ବି.ଏ. ପାଣିଗ୍ରାହୀ,

କରୁଛ ତନଖି ପାଠ ବୁଲି ସାହି ସାହି ।

ଓଡ଼ିଆ ବିଦ୍ୟା ବିଭାଗେ ତୁମ୍ଭେ ତିନି ଜଣେ,

ଉଚ୍ଚପଦ ମିଳିବାରୁ ଭାବିଥିଲୁଁ ମନେ,

 

ଓଡ଼ିଆ ପାଠ୍ୟର ଭାଷା ଓ ବିଷୟ ବୋଧ,

କେତେକ ପରିମାଣରେ ହେବ ପରିଶୁଦ୍ଧ ।

ପବିତ୍ର ବିଦ୍ୟା ବିଭାଗ କାର୍ଯ୍ୟ ସୁପବିତ୍ର,

ନିର୍ଦ୍ଦୋଷ ଭାବରେ ହେବ ସୁପରିଚାଳିତ ।

 

ଆଖିରୁ ତ ପାଣି ମଲା ଆସି ଚାହିଁ ଚାହିଁ

ତେବେ ସୁଦ୍ଧା ଆଶା କିନ୍ତୁ ପୂର୍ଣ୍ଣ ହେଲା ନାହିଁ ।

ଅଟ ଭାଇ ତୁମ୍ଭେମାନେ ଶିକ୍ଷିତ ଯୁବକ,

ହୁଅ ଅଶିକ୍ଷିତଙ୍କର ପଥପ୍ରଦର୍ଶକ ।

 

କଥାରେ ତୁମ୍ଭମାନଙ୍କ ସ୍ୱଦେଶ ପ୍ରୀତିର,

ପରିଚୟ ମିଳିଅଛି ଢ଼େର ଢ଼େର ଥର ।

କାର୍ଯ୍ୟରେ କିଞ୍ଚିତ ଏବେ ଦିଅ ପରିଚୟ,

ଦେଶକାର୍ଯ୍ୟ କରି ହୁଅ ଚିରସ୍ମରଣୀୟ ।

 

ଏହି କଥା ସଦା ତୁମ୍ଭେ ରଖିଥିବ ଧ୍ୟାନେ,

କରିଯା ମନୁଷ୍ୟ ଭାଇ ଦୁଇ ଚାରି ଜଣେ ।

ଅନନ୍ତରାମ ରଥଙ୍କୁ ଚିହ୍ନେ ନାହିଁ କିଏ,

ଗଞ୍ଜାମ ଜିଲାର ଗଣେ ଅଟନ୍ତି ସେ ବି.ଏ. ।

 

ଅନେକ ସନ୍ଧାନ କଲି ଗଞ୍ଜାମରେ ଯାଇ,

ତାହାଙ୍କର କାର୍ଯ୍ୟ କିଛି ଦିଶିଲା ତ ନାହିଁ ।

ପଚାରନ୍ତି ଦେଖାହେଲେ ରଥ ଗୋସାଇଁଙ୍କି,

ନୀରବ ନିଷ୍କାମ ହୋଇ ଅଛନ୍ତି କାହିଁକି ।

 

ଉଚ୍ଚଶିକ୍ଷିତ ସେ ତାଙ୍କ ହୃଦୟ ଉଦାର,

ପଛକୁ ବା ରଖିଥିବେ ଦେଶ-ଉପକାର ।

ମହାପାତ୍ର ଉପାଧିକ ଭାଇ ବଟକୃଷ୍ଣ,

ଦେଶସେବା ବିଷୟରେ ନ ହୁଅ ବିତୃଷ୍ଣ ।

 

କଥା କାର୍ଯ୍ୟ ମଧ୍ୟେ ଅଛି ପ୍ରଭେଦ ବିସ୍ତର,

କହିବା ସହଜ କିନ୍ତୁ କରିବା ଦୁଷ୍କର ।

ଆଗେ କଥା ପଛେ କାମ ପ୍ରକୃତି ନିୟମ,

କହିଲଣି ଢ଼େର କଥା କର କିଛି କାମ ।

 

ସ୍ପଷ୍ଟବାଦୀ ଦୃଢ଼କର୍ମା ହେ ଶ୍ରୀବତ୍ସ ପଣ୍ଡା,

ତୁମ୍ଭ ପରି କର୍ମବୀର ଲୋଡା ପାଞ୍ଚଗଣ୍ଡା ।

ସଂସ୍କାର କାର୍ଯ୍ୟରେ ତୁମ୍ଭେ ଭିଡ଼ିଅଛ ଅଣ୍ଟା,

ଗନ୍ତବ୍ୟ ପଥରେ ମାନ ନାହିଁ ଖୁଞ୍ଚକଣ୍ଟା ।

 

ଦୁର୍ଗତି ମୋଚନକଳ୍ପେ ରମଣୀ ଜାତିର,

ହୋଇଅଛ ତୁମ୍ଭେ ସଦା ବଦ୍ଧପରିକର ।

ଏଣୁ ତୁମ୍ଭେ ନିରପେକ୍ଷ ସମାଲୋଚକର,

ପୁଣି ସଂସ୍କାରର ପକ୍ଷପାତୀମାନଙ୍କର,

 

ଏକାନ୍ତ ନମସ୍ୟ ନିଶ୍ଚେ ଅଟ ଆହେ ଆର୍ଯ୍ୟ,

କିନ୍ତୁ ଭାଇ ସଂସ୍କାର ତ ସୁକଠିନ କାର୍ଯ୍ୟ ।

ଦେଶକାଳପାତ୍ରରୀତି ନ ହୋଇ ବିଦିତ,

ଖାଲି ସଂସ୍କାର ପ୍ରସ୍ତାବ କଲେ ଉପସ୍ଥିତ,

 

ତହିଁରେ ୠକ୍ଷଣଶୀଳ ସମାଜର ହିତ,

ସାଧିତ ନ ହୋଇ ହୁଏ ହିତେ ବିପରୀତ ।

ଅତଏବ ଧୀର ଆଉ ସଂଯତ ଭାବରେ,

ସଂସ୍କାର କରିବା ଭଲ ଅଟେ ମୋ ବିଚାରେ ।

 

ଦୁଇ ଦିନେ ନଷ୍ଟ ହେବ ଧନମାନ ଭାଇ,

କାମଗୁଣେ ନାମ ସିନା ହୁଏ ଚିରସ୍ଥାୟୀ ।

ସତ୍ୟ କଥା, ତୁମ୍ଭ ନାମ ସଂସ୍କାର ଲିଷ୍ଟିରେ,

ରହିବ ଖୋଦିତ ହୋଇ ସୁବର୍ଣ୍ଣ ଅକ୍ଷରେ ।

 

ସାହିତ୍ୟ-ନିକୁଞ୍ଜ ଏହି ଆଠଗଡ଼ ରାଜ୍ୟ,

ଏହିଠାରେ ଉଇଁଥିଲେ ରଥ କବିସୂର୍ଯ୍ୟ ।

ଧନ୍ୟ ରଥେ ଅମରତା ଲଭିଅଛ ମରି,

ବିସ୍ତାରି ଦେଇ ଆଦର୍ଶ ଭାଷାର ଲହରୀ ।

 

ତୁମ୍ଭେ ଉପଇନ୍ଦ୍ର ଦୁହେଁ ନର କି ଦେବତା,

ସ୍ଥିର କରିବାକୁ ଅଣ୍ଟୁ ନାହିଁ ମୋ କ୍ଷମତା ।

ବଞ୍ଚିଥିଲୁ କେତେ ଗୋଟା ଦିନ ବା ସଂସାରେ,

ଏତେ ରତ୍ନ ସଞ୍ଚିଗଲ ସାହିତ୍ୟ-ଭଣ୍ଡାରେ ।

 

ଯେତେ ଦିନ ତୁମ୍ଭେ ବେନି ଥିଲ ଧରାଧାମେ,

ତେତେ ଦିନ ବାଣୀ, ବୀଣା ରଖିଲେ ଗଞ୍ଜାମେ ।

ତୁମ୍ଭ ମାଟିଦେହ ମିଶିଯାଇଛି ମାଟିର,

ହୋଇଅଛି କୀର୍ତ୍ତିଦେହ କିନ୍ତୁ ଅନଶ୍ୱର ।

 

ରାଜା ହୋଇ କୃଷ୍ଣସିଂହ ସହି କେତେ ଦୁଃଖ

ସମୁଜ୍ଜ୍ୱଳ କରିଗଲେ ଜନ୍ମଭୂମି ମୁଖ ।

ବାହାରକୁ ରାଜା ମାତ୍ର ତପସ୍ୱୀ ଭିତରେ

କି ଗୀତ ଗାଇଲ କବି ୠଷିକୁଲ୍ୟା ତୀରେ ।

 

ବିରଚି ନୂତନ ଛନ୍ଦେ ଶ୍ରୀ ମହାଭାରତ,

ଢାଳିଦେଇ ଯାଇଅଛ ଉତ୍କଳେ ଅମୃତ ।

ଥିଲେ ତୁମ୍ଭ ପାଦୋଦକ କରିଥାନ୍ତି ପାନ,

ଛାଡିଯାଇଥାନ୍ତା ମୋର ମୂଢ଼ତା ଅଜ୍ଞାନ ।

 

ତବୋଦ୍ଦେଶ୍ୟେ ସାଷ୍ଟାଙ୍ଗରେ କରୁଛି ପ୍ରଣାମ,

ପବିତ୍ର ହେଲି ମୁଁ ଛୁଇଁ ତବ ଜନ୍ମସ୍ଥାନ ।

ନାହାନ୍ତି ମର୍ତ୍ତ୍ୟରେ ଆଉ ବଳି ମହାରଣେ,

ବାସ୍ତବରେ ଲୋକ ପରି ଥିଲେ ଲୋକ ଜଣେ ।

 

ଉଇଲିୟମ ପରି ପୁଅ ଜନ୍ମ ହୋଇ ନାହିଁ,

ଦେଶ ପାଇ ଦିନରାତି ଜାଣୁଥିଲେ ନାହିଁ ।

କରିଣ ହିତବାଦିନୀ ସମାଜ ଗଠନ,

ଚଳାଇଲେ କଲେଜରେ ଓଡ଼ିଆ ପଠନ ।

 

ଥିଲ ଦୁହେଁ ଗଞ୍ଜାମର ଉନ୍ନତିର ମୂଳ,

ପ୍ରଥମେ ସ୍ଥାପନ କଲ ଓଡ଼ଆ ଇସ୍କୁଲ ।

କରିଯାଇଅଛ ତୁମ୍ଭେ କାମ ପରି କାମ,

ଯଥାକାଳେ ଚାଲିଗଲ ରହିଗଲା ନାମ ।

 

ଦୀନବନ୍ଧୁ ପଣ୍ଡା ଜଣେ ସଚ୍ଚା କର୍ମଚାରୀ,

କର୍ତ୍ତବ୍ୟ-ନିପୁଣ ସାଧୁ ଶିଷ୍ଟ ବ୍ୟବହାରୀ ।

ଛୁଇଁବ ନାହିଁ ତାଙ୍କର ପିଠି ଯମଛାଟ,

ପଢ଼ିନାହାନ୍ତି ସେ ଯେଣୁ ଅଣ୍ଟାଖୋଷା ପାଠ ।

 

ସଙ୍ଗୀ ଲୋକମାନେ ଗଲେ ଉପରକୁ ଚଢ଼ି,

ସହାୟ ବଳହୀନ ସେ ତଳେ ଛନ୍ତି ପଡି ।

ନ ହେଲା ଉନ୍ନତି ଚିନ୍ତା କର ନାହିଁ ପଣ୍ଡେ,

କହିବି ଗୋଟିଏ କଥା ବସିବ କି ଦଣ୍ଡେ ।

 

ଘୃତାନ୍ନ ଭୋଜନଠାରୁ ଧର୍ମପଥେ ଥାଇଁ,

ଶାକାନ୍ନ ଭୋଜନ ଭଲ ନୁହଇ କି ଭାଇ !

ଧାର୍ମିକର କଷ୍ଟ ହୁଏ ଆପାତ ଦୁଃସହ,

କିନ୍ତୁ ପରିଣାମେ ତାହା ହୁଏ ସୁଖାବହ ।

 

କୃଷ୍ୟ ମୃତ୍ତିକାକୁ କରେ ଅନଳ ଦହନ,

ସେଥିରେ ତାହାର ହୁଏ ଉର୍ବରା ବର୍ଦ୍ଧନ ।

ଅଭାବରେ ପଡ଼ି ପଣ୍ଡେ ନ ହୁଅ ବିକଳ,

ଧାର୍ମିକ ଜୀବନେ ତାହା ପରୀକ୍ଷା କେବଳ ।

 

ଭାଗ୍ୟେ ଥିଲେ ପାଇ ପାର ଦିନେ ଉଚ୍ଚ ପଦ,

କିନ୍ତୁ ଭାଇ ଉଚ୍ଚପଦେ ବିସ୍ତର ବିପଦ ।

ବାଲୁଙ୍କେଶ୍ୱର ଦାସେ ତ ଚତୁରତାବଳେ,

ରାଜ-ଅନୁଗ୍ରହ ଉଚ୍ଚପଦ ଲାଭ କଲେ ।

 

ଶୁଣିଲି ସେ ଜଣେ ଖୁବ୍‌ ଚତୁର ଉତ୍ସାହୀ,

କିନ୍ତୁ ଦେଶ-ହିତ କାମ କଣ କଲେ କାହିଁ ।

ନାହିଁ ନାହିଁ ଦାସେ ଏ ତ ଭଲ ହେଉ ନାହିଁ,

ଶକ୍ତି ଅନୁରୂପ କିଛି କର ଦେଶ ପାଇଁ ।

 

ବିନୟୀ ଶାନ୍ତ ସ୍ୱଭାବ ହେ ବ୍ରଜସୁନ୍ଦର,

ଗଞ୍ଜାମରେ ଏକ ମାତ୍ର ଓଡ଼ିଆ ଡାକ୍ତର ।

ଯୋଗ୍ୟ ଲୋକ ତୁମ୍ଭେ ବସି ରହ ନାହିଁ ଛି ଛି,

ଗଡିଗଲା ବେଳ ଭଲା କର କାମ କିଛି ।

 

ସମୟ ଅତୀତ କର ନାହିଁ ନିରର୍ଥକ,

ଲେଖ ଓଡ଼ିଆରେ ଖଣ୍ଡେ ନିଦାନ ପୁସ୍ତକ ।

ଅନ୍ନଶୂନ୍ୟା ଅନ୍ନପୂର୍ଣ୍ଣା ଯାଏ ଗୀତ ବାନ୍ଧି,

ସ୍ମରିଲେ କଷଣ ତାର ପକାଏ ମୁଁ କାନ୍ଦି ।

 

ପାଠଶାଳା ପାଠେ ନାମମାତ୍ର ଶିକ୍ଷା ପାଇ,

ଲେଖେ ପଦେ ଅଧେ ଗୀତ ଶକ୍ତି ଅନୁଯାୟୀ ।

ଏ ହେତୁ ସେ କାହା କାହା କୋପ କଟାକ୍ଷରେ,

ପଡି ଦିନ କାଟୁଅଛି ମହା ହରବରେ ।

 

ଟଙ୍କା ଦେଇ କିଣନ୍ତି ଯେ ନାମ ଖ୍ୟାତି ଯଶ,

ସେମାନେ ବୁଝିବେ କାହୁଁ କବିତାର ରସ ।

ଦେଖିଛି ମୁଁ କେତେ ସିଦ୍ଧି ଫଳା ବିବର୍ଜିତ,

ଟଙ୍କା ଦେଇ ପରଗୁଣେ ବୋଲାନ୍ତି ପଣ୍ଡିତ ।

 

ସେମାନେ ବୁଝିବେ ଯଦି ନାରୀ କବି ମାନ,

କିଏ ଭଲା ହେବ ଆଉ ବାତୁଳ ଅଜ୍ଞାନ ।

କର ନାହିଁ କର ନାହିଁ ନାରୀକବି ଭୟ,

ଶୁଭ କାର୍ଯ୍ୟେ ବିଘ୍ନ ଘଟେ ଏହା ସୁନିଶ୍ଚୟ ।

 

ଶତ ବାଧା ଶତ ବିଘ୍ନେ ନ ହୁଅ ଅସ୍ଥିର,

କର ସଦବ୍ୟବହାର ଆପଣା ଶକ୍ତିର ।

ଏ ନୀତି ବଚନ ମନେ ରଖ ସବୁବେଳେ,

‘‘କୀର୍ତ୍ତିରକ୍ଷର ସମ୍ବନ୍ଧା ସ୍ଥିରା ଭବତି ଭୁତଳେ ।’’

 

ହିନ୍ଦୁକୁଳ ଭୁଆସୁଣୀ ଅଟନ୍ତି ସାବିତ୍ରୀ,

ଜାଣନ୍ତି ସର୍ବେ ଜଣେ ସେ ଭଲ ରଚୟିତ୍ରୀ ।

ଗଦ୍ୟ ପଦ୍ୟ ରଚନାର ସମାନ ନିପୁଣା,

ଜଣାଯାଏ ଉପଯୁକ୍ତ ଥିବ ପଢ଼ାଶୁଣା ।

 

କେତେ ଥର ତାଙ୍କ ଲେଖା ପଢ଼ି ହୁଏ ଭେକା,

ବାରି ନୁହେଁ ସ୍ତ୍ରୀ ଲେଖା କି ପୁରୁଷର ଲେଖା ।

ଲେଖ ଲେଖ ଲେଖ କବି ମଣ ନାହିଁ କ୍ଳେଶ,

ଭଗ୍ନୀଗଣେ ଦେଇଯାଅ ହିତ ଉପଦେଶ ।

 

ମନେ ହେଲା ହେ ସିଂହାଦ୍ରି ଗନ୍ତାଇତ ଭାଇ,

ପାଠଗୁଡ଼ା ପେଟେ ରଖି ଦେଉଛ ପଚାଇ ।

ଭାଷାତତ୍ତ୍ୱେ ତୁମ୍ଭର ତ ଥିଲା ଅଧିକାର,

କଲ ନାହିଁ କିନ୍ତୁ ତାର ସଦବ୍ୟବହାର ।

 

ହୋଇ ଯାଇ ନାହିଁ କିଛି ତୁମ୍ଭେ ବୁଢ଼ା ହଡ଼ା,

ତେବେ କିଆଁ ନ ଶୁଣିବ କଥା କଡ଼ା କଡ଼ା ।

ଦେଶ ଆଶାସ୍ଥତ ତୁମ୍ଭେ ଗଲା ଦିନ ବହି,

କାହାକୁ କହିବୁଁ ଆଉ ତୁମ୍ଭଙ୍କୁ ନ କହି ।

 

ଗଲା କଥା ଯାଉ ଛାଡ଼ କି ଫଳ ତହିଁରେ,

ମାତୃସେବା କରି ହୁଅ ଆଦର୍ଶ ମହୀରେ ।

ମହାଦେବ ରାଜଗୁରୁ ମହାପାତ୍ରେ କିହେ,

ନାମ ଲେଖାରେ ତ ଖାଲି ଗଲାଣି ଧାଡ଼ିଏ ।

 

ଏଡ଼େ ନାମଟାଏ ନନା ବହିଛ କିପାଇଁ,

କେବେ ହେଲେ ଦେହକୁ କି ଭାରି ଲାଗୁ ନାହିଁ ।

ଅତୀବ ରକ୍ଷଣଶୀଳ ଅଭିମାନ-ଅନ୍ଧ-

ବଂଶେ ଜନ୍ମି ଜାଣ ନାହିଁ କିନ୍ତୁ ଛନ୍ଦ ମନ୍ଦ ।

 

ନିରଭିମାନିତା ତବ ପ୍ରଶଂସ୍ୟ ନିଶ୍ଚୟ,

ଅନ୍ୟ ପକ୍ଷେ ହୋଇପାରେ ଅନୁକରଣୀୟ ।

ଘେନି ସଂସ୍କାରକ କାର୍ଯ୍ୟାଧ୍ୟକ୍ଷ କାର୍ଯ୍ୟଭାର,

ଦେଇଅଛ ପରିଚୟ ଆପଣା କାର୍ଯ୍ୟର ।

 

କର ଦେଶକାଳଯୋଗ୍ୟ ସଂସ୍କାର ବିଧାନ,

ଉଗ୍ର ସଂସ୍କାରରେ ଭାଇ ନାହିଁ ପ୍ରୟୋଜନ ।

ପୁଅଟାଏ ଶଶିରଥ ମାରିଦେଇ ଡିଏଁ,

ମାନ୍ଦ୍ରାଜୁ ଶିଖି ଆଯସିଲା କେଡ଼େ କାମଟାଏ ।

 

ଧନ୍ୟବାନ ଦେବି ତାର ନୈତିକ ସାହସେ,

କରି ନାହିଁ ମଧ୍ୟ ଅଳ୍ପ ଅଧ୍ୟବସାୟ ସେ ।

ସାବାସ ସାବାସ ରଥେ ସାବାସ ସାବାସ,

ଷାଠିଏ ଚନ୍ଦ୍ରର ମୁଖ ଦେଖ ମାସ ମାସ ।

 

ସର୍ବକାର୍ଯ୍ୟେ ଦେଖିବ ଯେ ଜାତି ଯିବା ସ୍ୱପ୍ନ,

କିପରି କରିବ ସେହୁ ଉନ୍ନତି ସାଧନ ।

ପାଠ ପଢ଼ିଲେ ତ ଭାଇ ଯାଏ ନାହିଁ ଜାତି,

ବରଞ୍ଚ ସେଥିରେ ବଢ଼େ ବେଶି ଜାତିପ୍ରୀତି ।

 

ଅତଏବ ଛାଡି ଦେଶାଚାର କୁସଂସ୍କାର,

ଉନ୍ନତିକୁ କର ଏକା ମୂଳମନ୍ତ୍ର ସାର ।

ଆୟା ବଳରାମ ଦାସେ ହେ ସିରସ୍ତାଦାରେ,

ଚିରସ୍ଥାୟୀ ପଟ୍ଟା କଲ ବୋଇରାଣୀଠାରେ ।

 

ଜାଣେ ମୁହି ନୁହଁ ତୁମ୍ଭେ ଏ ଦେଶ ନିବାସୀ,

ପଢ଼ିଲ ଓଡ଼ିଆ ପାଠ ଏ ଦେଶକୁ ଆସି ।

ଏ ଦେଶୀୟମାନଙ୍କର ଶୁଭ କାମନାରେ,

ଅଚ୍ଛ ପରା ଉଚ୍ଚ ସ୍କୁଲ ସ୍ଥାପନ ଇଚ୍ଛାରେ ।

 

ଚାନ୍ଦା କରି ଲଗାଇଛ ଘରତୋଳା କାମ,

ଶୁଭେ ପୂର୍ଣ୍ଣ ହେଉ ତୁମ୍ଭ ଶୁଭ ମନସ୍କାମ ।

ଗଞ୍ଜାମ ଅନ୍ନେ ପାଳିତ ସର୍ବ ବୈଦେଶିକ,

ଶିଖିବେ କି ଦାସଙ୍କର ଏ ସଦ୍‌ଗୁଣଟିକ ।

 

ସାଧୁ ସାଧୁ ସାଧୁ ଦାସେ ସାଧୁ ତୁମ୍ଭ ହିଆ,

କାହିଁକି ମୁଁ ନ କହିବି ତୁମ୍ଭଙ୍କୁ ଓଡ଼ିଆ ।

କୃପାସିନ୍ଧୁ ତ୍ରିପାଠୀ ହେ ତର୍କପଞ୍ଚାନନ,

ଦେଶ ପାଇଁ କିଞ୍ଚିତରେ ଦିଅ ଭଲା ମନ ।

 

ଶୁଣିଛି ମୁଁ ତୁମ୍ଭେ ଜଣେ ସୁପଣ୍ଡିତ ବଡ଼,

ପଢ଼ି ଆସିଅଛ ପାଠ ଶଗଡ଼ ଶଗଡ଼ ।

ଭାବିଥିଲେ ଲୋକେ ତୁମ୍ଭେ ତେଣୁ ଆସି ଫେରି,

ଜ୍ଞାନାଲୋକେ ଦେବ ଦେଶ ଉଦ୍ଭାସିତ କରି ।

 

ମାତ୍ର କି କହିବି ବୁଦ୍ଧି ସ୍ମରୁ ନାହିଁ ମୋର,

ତେଣୁ ଫେରି ପୋଥିରେ ତ ବାନ୍ଧିଦେଇ ଡୋର ।

କର ଯୋଡି କହୁଅଛି ପଣ୍ଡିତ ଗୋସାଇଁ,

ଏଡ଼େ ଆଣ୍ଟ କରି ସ୍ୱାର୍ଥେ ଭିଡି ଧର ନାହିଁ ।

 

ଆଉ କିଛି କାମ ପଛେ କର ବା ନ କର,

ମାତ୍ର ଏକ ଅନୁରୋଧ ରଖିବ ମୋହର ।

ଆପଣଙ୍କ ଅନୁରୂପ ଯୋଗ୍ୟତା ପ୍ରଦାନ,

କର କେତେ ଜଣ ଯୋଗ୍ୟ ଶିଷ୍ୟେ ପଞ୍ଚାନନ ।

 

ତାହା ହେଲେ ଯିବାବେଳେ ବାଟଖର୍ଚ୍ଚ ପାଇଁ,

ହରବର ହେବ ନାହିଁ ପଣ୍ଡିତ ଗୋସାଇଁ !

ମୋ କଥାଟା ମିଛ ହେଲେ ଦେବ ପଛେ ଗାଳି,

ଜୀବନୀ ଖାତାକୁ ଥରେ ପକାଅ ଅଣ୍ଡାଳ ।

 

ଭଲରୂପେ ଦେଖ ପତ୍ରେ ପତ୍ରେ ଓଲଟାଇ,

କଅଣ ରଖିଛ କାହିଁ ବାଟଖର୍ଚ୍ଚ ପାଇଁ ।

ସେଥିପାଇଁ କହୁଅଛି ହେ କାବ୍ୟରସିକ,

ବେଳ ଥାଉଁ ଥାଉଁ ଭଲା ଚିନ୍ତ ପାରତ୍ରିକ ।

 

ଦୟାନିଧି ପାତ୍ରେ ତାଙ୍କ ନିବାସ ବୁଗୁଡ଼ା,

ଭଗବଦ୍ଭକ୍ତିରେ ସଦା ବୁଡ଼ିଅଛି ବୁଢ଼ା ।

ବିଷୟ ଜ୍ଞାନସମ୍ପନ୍ନ ସାତ୍ତ୍ୱିକ ପୁରୁଷ,

ଦେଶକାର୍ଯ୍ୟ କରି ଭଲା ଦେଖାଅ ପୌରୁଷ ।

 

ଧନ ଅଛି, ଶକ୍ତି ଅଛି, ଅଛି ପୁଣି ମନ,

କିନ୍ତୁ ବାବୁ ଆସୁଅଛି ସରି ତ ଜୀବନ ।

ଚାହୁଁ ଚାହୁଁ ସମୟ ତ କ୍ରମେ କ୍ରମେ ଗଲା,

ବେଳ ଥାଉଁ ଥାଉଁ କିଛି କରିଯାଅ ଭଲା ।

 

ହରିଡ଼ାଖଣ୍ଡି ମହନ୍ତ ତ୍ରିତଳ ପ୍ରାସାଦ,

ଜନ୍ମାଇଲା ମନେ ମୋର ଅତୁଲ ଆହ୍ଲାଦ ।

ସ୍ୱର୍ଗକୁ ନିଶୁଣୀ ପରି ଲାଗିଛି ପାହାଚ,

ମଣ୍ଡିତ ଗବାକ୍ଷେ ଦ୍ୱାରେ ନାନାବର୍ଣ୍ଣେ କାଚ ।

 

ଦେଖିଲି କେତେ ପଦାର୍ଥ ଗାଡ଼ି, ହାତୀ, ଘୋଡ଼ା,

ଯୋଗୀଙ୍କର ଘୃଣ୍ୟ ସିନା ଭୋଗୀଙ୍କୁ ତ ଲୋଡ଼ା ।

ମହେନ୍ଦ୍ର ଭୁବନ ନୁହେଁ ତାହା ସଙ୍ଗେ ଲେଖା,

ମହନ୍ତଙ୍କ ସଙ୍ଗେ ଥରେ କରେଁ ଭଲା ଦେଖା ।

 

ବାବାଜି ହେ ତୁମ୍ଭେ ଜଣେ ସୁସତର୍କ ଲୋକ,

ତେଣୁ ହେଇ ସମ୍ମିଳନୀ କୋଷର ରକ୍ଷକ ।

ତୁମ୍ଭପ୍ରତି ଓଡ଼ିଆଙ୍କ ଭକ୍ତି ଓ ବିଶ୍ୱାସ,

କିପରି ପ୍ରବଳ ଏଥୁଁ ବୁଝି ତା ଆଭାସ ।

 

ତ୍ୟାଗୀ ହୋଇ ରାଜା ପରି ଅଟ ଧନେ ମାନେ,

କିନ୍ତୁ ଦାତାପଣ କଥା ନ ଶୁଣିଲି କାନେ,

ତୁମ୍ଭର ସମ୍ମାନରକ୍ଷା ଭଳି କେତେ ଗୋଟା,

କାମ କରି ଗୋସାଇଁ ହେ ନାମ କର ମୋଟା ।

 

ଓଡ଼ିଆ ଭକ୍ତଙ୍କ ହିତେ ସଦା ମନ ଦିଅ,

ହୁଅ ଆନ ମହନ୍ତଙ୍କ ଆଦର୍ଶସ୍ଥାନୀୟ ।

ସ୍କୁଲ ସୁପର୍‌ଭାଇଜର ଦୟାନିଧି ଦାସେ,

ଉତ୍ସାହୀ ଯୁବକ କିପାଁ ବସିଛ ଉଦାସେ ।

 

ଶକ୍ତି ଅନୁରୂପ ତୁମ୍ଭ କାର୍ଯ୍ୟ ନ ଦେଖି ତ,

ସକଳେ ଅଛନ୍ତି ଭାଇ ମୋ ପରି ଦୁଃଖିତ ।

ଶୁଣ ଆହେ ଗଞ୍ଜାମର ମିସ୍‌ନେରୀ ଦଳ,

ତୁମ୍ଭର ସହାନୁଭୂତି ଅତ୍ୟନ୍ତ ପ୍ରବଳ ।

 

ଓଡ଼ିଆଙ୍କ ପ୍ରତି ଅଛି ସତ୍ୟ, ନ୍ୟାୟ, ନିଷ୍ଠା,

ପୁଣି ରାଜଦ୍ୱାରେ ଅଛି ଯଥେଷ୍ଟ ପ୍ରତିଷ୍ଠା ।

ଓଡ଼ିଆଙ୍କ ସର୍ବବିଧ ଉନ୍ନତି କାମନା,

ବିଶେଷ ଭାବରେ କର ଏହା ମୋ ପ୍ରାର୍ଥନା ।

 

ଆଉ କେତେ ଜଣ ପରା ଯାଇଥିବେ ରହି,

କ୍ଷମାକର ଆଉ ଏତେ ପାରେ ନାହିଁ କହି ।

ନାମ ପଛେ ଛାପା ନୋହୁ କରିଯାଅ କାମ,

ଲେଖାରେ କି ହେବ ଭାଇ କାମଗୁଣେ ନାମ ।

 

ନିଜ କ୍ଷମତାରେ କର ନାହିଁ ଅବିଶ୍ୱାସ,

କାର୍ଯ୍ୟକ୍ଷେତ୍ରେ ପଶି କର ବିକ୍ରମ ପ୍ରକାଶ ।

କହିବ ବା କି କରିବୁଁ ଆମ୍ଭେ ତ ନିର୍ଦ୍ଧନ,

କିନ୍ତୁ ଜାଣ ଦେଶବାସୀ ଦେଶ ମୂଳଧନ ।

 

ଯାର ଯେଉଁ ଶକ୍ତି ଅଛି କର ତା ପ୍ରୟୋଗ,

ଅବିଳମ୍ବେ ଛାଡ଼ିଯିବ ଦେଶରୁ ଦୁର୍ଯୋଗ ।

ବହୁକ୍ଷୁଦ୍ର ଶକ୍ତି ମିଶି ମହାଶକ୍ତି ଏକ,

ହୁଏ ପରା ତା ପ୍ରମାଣ ଦେଖିବ ତ ଦେଖ ।

 

ଜଣକର ବୋଝ ହୁଏ ସାତପାଞ୍ଚ ଯଷ୍ଟି,

ମହାସିନ୍ଧୁ ଅଟେ ଜଳବିନ୍ଦୁର ସମଷ୍ଟି ।

ଶିକ୍ଷାର ଉନ୍ନତି ପ୍ରତି ତୀକ୍ଷ୍‌ଣଦୃଷ୍ଟି ରଖ,

କୃଷିଶିଳ୍ପ ବାଣିଜ୍ୟରେ ନ ହୁଅ ବିମୁଖ ।

 

ଗଞ୍ଜାମ ଉତ୍କଳ ଦେଶ ନୁହେଁ ଭିନ୍ନ ଭିନ୍ନ,

ବିଦେଶୀୟ ରାଜନୀତି କରୁଛି ବିଚ୍ଛିନ୍ନ ।

ଉତ୍କଳ ଗଣ୍ଡି, ଗଞ୍ଜାମ ମୁଣ୍ଡ ଅଟେ ତାର,

ଏକ ଜାତି ଏକ ଭାଷା ଆଚାର ବେଭାର ।

 

ମୁଣ୍ଡ ଗଣ୍ଡି ଏକତ୍ରିତ ନ ହେଲେ କିପରି,

ଠିଆ ହେବ ଦୃଢ଼େ ସେହୁ ପ୍ରାଣଶକ୍ତି ଧରି ।

କର୍ଜନ ସାହେବଙ୍କର ଅଛି ବଡ଼ ମଥା,

ବୁଝୁଥିଲେ ସେ ମହାତ୍ମା ଏ ସକଳ କଥା ।

 

ତେଣୁ ଗଞ୍ଜାମ ଜିଲାକୁ ଓଡ଼ିଶା ସହିତେ,

ମିଶାଇଦେବାକୁ ସ୍ଥିର କରିଥିଲେ ଚିତ୍ତେ ।

ହାୟ ସେ ଦୁଃଖ କାହାଣୀ କହିଲେ କି ହେବ,

କରି ଦେଲେ ନାହିଁ କିନ୍ତୁ ଏମଥିଲ ସାହେବ ।

 

ଥିଲେ ଏମଥିଲ ଲାଟ ଖୁବ୍ ଦୟାବାନ,

ଓଡ଼ିଆଙ୍କ ଭାଗ୍ୟଦୋଷେ ହେଲେ ସେ ପାଷାଣ ।

ଗଞ୍ଜାମ ଓଡ଼ିଆ ଭାଇ ନ ହୁଅ ନିରାଶ,

ଦିନେ ନିଶ୍ଚେ ପୂର୍ଣ୍ଣ ହେବ ତୁମ୍ଭ ଅଭିଳାଷ ।

 

ନ ହେଲା ଦେଶମିଶ୍ରଣ ବୋଲି ନୁହ ଭାଳି,

ଆଜି ହେଲା ନାହିଁ ସିନା ହୋଇପପାରେ କାଲି ।

ସେ କଥା ତ ଅଛି ରାଜପୁରୁଷଙ୍କ ଭାଗେ,

ତୁମ୍ଭର କର୍ତ୍ତବ୍ୟ ସାହା ତୁମ୍ଭେ ପାଳ ଆଗେ ।

 

ନାହାନ୍ତି ସେ ଏମଥିଲ ଗଲେଣି ତ ଚାଲି,

ବର୍ତ୍ତମାନ ଲାଟ୍‌ସାହେବ ସାର ଅର୍ଥର ଲଲୀ ।

ଭାରତର ବଡ଼ଲାଟ ମିଣ୍ଟୋ ମହାଯଶା,

ବୁଝିବେ ସେ ସବୁକଥା ଅଛି ବଡ଼ ଆଶା ।

 

ନ ଛାଡ଼ ଅଧ୍ୟବସାୟ ଲାଗ ବାରମ୍ବାର,

କାର୍ଯ୍ୟ ଅନୁରାଗ ଥିଲେ ହୁଏ କାର୍ଯ୍ୟୋଦ୍ଧାର ।

କେତେ ଗୋଟା ରାଜଧାନୀ ଗଞ୍ଜାମରେ ଆଉ,

ରହିଗଲା ଯାଉ ପଛେ କେ ଯାଉଛି ଆଉ ।

 

କିଏ କୁସଂସ୍କାରମୟ କିଏ ଅନ୍ଧକାର,

କାହିଁବା ଉନ୍ନତି ନାମେ ପଡ଼ି ନାହିଁ ଗାର ।

ତେଲଙ୍ଗାଙ୍କ ସଙ୍ଗ ମେଳେ ସେ ରାଜ୍ୟ ନୃପତି,

ନିଜକୁ ଓଡ଼ିଆ ବୋଲି ଭୁଲିଯାଇଛନ୍ତି ।

 

ଓଡ଼ିଆଙ୍କ ଦେହ ତାଙ୍କୁ ଗନ୍ଧାଏ ବିସ୍ତର,

ସାଜିଛନ୍ତି ଘରଢ଼େଙ୍କୀ ହୋଇଣ କୁମ୍ଭୀର ।

ଆନ୍ଧ୍ରଙ୍କୁ କୁଣ୍ଡାଇଛନ୍ତି ଖୁବ୍ ଭିଡ଼ି ଧରି,

କହିବେ ପରା ସେମାନେ ତୁ ତୁ କାର କରି ।

 

ଯିବା କଥା ଥାଉ ସେହି ରାଜ୍ୟକୁ ଜୁହାର,

ସେଠାରେ କରନ୍ତା କିଏ ମୋତେ ସମାଦର ।

ଇତି ହେଉ ତାହାଙ୍କର ଏବେ କାର୍ତ୍ତିଗୀତା,

ଅତି ଚିପୁଡ଼ିଲେ ଲେମ୍ଭୁ ହୁଏ ପରା ପିତା ।

 

ଗଞ୍ଜାମେ ବୁଢ଼ାଙ୍କ ଶ୍ରଦ୍ଧା ଅଳଙ୍କାରେ ଭାରି,

ନାହାନ୍ତି ଅଳପ ମଧ୍ୟ ତହିଁ ମେଡ଼େଲଧାରୀ ।

କାହା କର୍ଣ୍ଣେ ହଳେ ହଳେ ସୁବିଶାଳ ନୋଳି,

ଖଣ୍ଡମଣ୍ଡଳରେ ସଦା ହେଉଥାଏ ଦୋଳି ।

 

ଦେଖିବ ଯଦ୍ୟପି ଜଣେ କୁଣ୍ଡଳ-ମଣ୍ଡିତ,

ତକ୍ଷଣରେ ବୁଝିନେବ ସେ ଜଣେ ପଣ୍ଡିତ ।

ଅଳଙ୍କାରୁ ଛାଡ଼ ନୁହେଁ ନାକ କାନ ଗଳା,

ଗୋଟେ ହାତେ ଢଙ୍ଗଢ଼ଙ୍ଗେ ପଟେ ପଟେ ବଳା ।

 

ହଡ଼ପରତ୍ନ, ଚମ୍ପତିର କେହି ରାୟୁଗୁରୁ,

ପାଇଛନ୍ତି ସେ ସ୍ୱର୍ଗର ନିଶୁଣୀ ଛାମୁରୁ ।

ପଦଦାନେ ଶ୍ରୀଛାମୁଏ ଭାରି ମୁକ୍ତହସ୍ତ,

ଢାଳୁଛନ୍ତି ଅବିରତେ ପାଉଁଶରେ ଘୃତ ।

 

ଯାଉ ତାହା କ୍ରମେ କଥା ପଡ଼ୁଅଛି ବଳି,

ଶୁଣିଲେ ସେ କଥା ଛାମୁ ହେବେ କାଳେ ଚଳି ।

ଅଛନ୍ତି କେତେ ଶ୍ରୀଚ୍ଛାମୁ ଅନ୍ଦର-ନବିସ୍ ଭାରି,

ସେମାନଙ୍କ ସଙ୍ଗୀ ସଦା ଗଉଡ଼ ଭଣ୍ଡାରୀ ।

 

ତାହାଙ୍କ ଉଦ୍ଦେଶ୍ୟରେ କରେ ତପସ୍ୟା ସାଧନ,

ତଥାପି ନ ମିଳେ ଥରେ ଛାମୁଙ୍କ ଦର୍ଶନ ।

ନୁହନ୍ତି ନର ସେମାନେ ସ୍ୱର୍ଗର ଅମର,

ଜନ୍ମିଛନ୍ତି ମର୍ତ୍ତ୍ୟେ ସାଜି କଳ୍‌କୀ ଅବତାର ।

 

ଅପାତ୍ରେ ଅବିଦ୍ୟା ନୃତ୍ୟେ ଯାଏ ସୁଅ ବହି,

କିନ୍ତୁ ଦେଶକାର୍ଯ୍ୟ ବେଳେ ଲସି ଫିଟେ ନାହିଁ ।

ଯାଉ ସେ କଥା ମାଜିଲେ ହେବ କେଉଁ କାର୍ଯ୍ୟ,

ଘରକଥା କହିବାକୁ ମାଡ଼ୁଅଛି ଲାଜ ।

 

ଶୁଣିଲି କେତେକ ରାଜା ଲଗାଇ ହଳଦୀ,

ବୋଝେ ବୋଝେ ଅଳଙ୍କାରେ ହୋଇଥାନ୍ତି ଲଦି ।

ଘୋର କୁସଂସ୍କାରରକ୍ଷୀ ତାହାଙ୍କର ରୀତି

ସେମାନେ କହନ୍ତି ପୁଣି ଏହା ରାଜନୀତି ।

 

ସତ୍ୟେ ଧର୍ମେ ରାଜ୍ୟରକ୍ଷା ପ୍ରଜା ସୁପାଳନ,

ନ୍ୟାୟେ ରାଜକୋଷ ବୃଦ୍ଧି ସତ୍‌ପାତ୍ରରେ ଦାନ,

ଅପକ୍ଷପାହିତା ପୂର୍ବେ ଏହି ଶୁଭ କାମେ,

ଅଭିହିତ ହେଉଥିଲା ରାଜନୀତି ନାମେ ।

 

ସେହି ରାଜନୀତି ଏବେ କାଳର ଶାସନେ

ଖଟିଲା ବେଶ ଭୂଷଣ ଶୟନ ଭୋଜନେ ।

ଏହାଠାରୁ ଦୁଃଖ ଆଉ ଅଛି କିସ ବଳି,

ଦେଖି ଦେଖି ମନେ ହୁଏ ଘୋର ହେଲା କଳି ।

 

ଗଞ୍ଜାମର ଶିଶୁ ବୃଦ୍ଧ ବାକଳ ବାଳିକା,

ସମସ୍ତଙ୍କୁ ଲୋଡ଼ାହୁଏ ନାସ ଆଉ ପିତା ।

ଗ୍ରାମେ ଗ୍ରାମେ ଅଛି ପ୍ରାୟ ଅବିଦ୍ୟା-ନିବାସ,

କେତେ ଯୁବା ସେ ଅନଳେ ଦେଉଛନ୍ତି ଝାସ ।

 

କରନ୍ତୁ ଶ୍ରୀବତ୍ସ ବାବୁ ଏହା ପ୍ରତିକାର,

ଏଠାରୁ ଆରମ୍ଭ ହେଉ ସମାଜସଂସ୍କାର ।

ଏହି ସମ୍ବନ୍ଧରେ ଆଉ କେତେ ବିଷୟରେ,

ତୀବ୍ର ମନ୍ତବ୍ୟର ଇଚ୍ଛା ଥିଲା ହୃଦୟରେ ।

 

ଲୋକଙ୍କ ଅପ୍ରୀତିକର ହେବ ବୋଲି ଭାବି,

ରଖିଦେଲି ସେ କଥାକୁ ହୃଦେ ଦେଇ ଚାବି ।

ଓଡ଼ିଆ ଭାଇଙ୍କ ସଙ୍ଗେ କଥା ବକି ବକି,

ଦୁଇ ତିନି ଦିନ ଯାଏଁ ପଡ଼ିଥିଲି ଥକି ।

 

ଏବେ ଯାଇ ପଚାରିବି ତୈଲଙ୍ଗୀ ବନ୍ଧୁଙ୍କୁ,

ଓଡ଼ିଆଙ୍କ ହିତଚିନ୍ତା ନ କରନ୍ତି ଏନ୍ଦକୁ ।

ଏକଡ଼ରାଣ୍ଡି ଆୟାଗାରୁ ପଚାରେଁ ମୁଁ କହ,

ଗଞ୍ଜାମ ମାତାର ପରା ତୁମ୍ଭେ ଦୁଇ ପୁଅ ।

 

ତୁମ୍ଭେମାନେ ବଡ଼ ଭାଇ ଓଡ଼ିଆଏ ସାନ,

ଭାଇ ବିଷୟରେ କିପାଁ ତୁମ୍ଭେ ଉଦାସୀନ ?

ଦୁଧ ଭାତ କ୍ଷୀରିପିଠା ନିଅ ତୁମ୍ଭେ ଟାଣି,

ଓଡ଼ିଆ ନ ପାନ୍ତି ମନ୍ଦେ ଅଲଣା ତୋରାଣି ।

 

କଦାଚିତ ଏହା ଧର୍ମସଙ୍ଗତ ନୁହଇ,

କିପରି କର ହେ ରକ୍ତମାଂସ ଦେହ ବହି ।

ସୁନ୍ଦର ପ୍ରତିମା ଗଢ଼ି କନ୍ଧଦେଶେ ତାର

ବସାଇଲେ ଭିନ୍ନମୁଣ୍ଡ ଶୋଭେ ଯେ ପ୍ରକାର ।

 

ସେହିପରି ତୁମ୍ଭ ମୁଖେ ଓଡ଼ିଆ ଭାଷାଟି,

ଶୁଦ୍ଧତା ହରାଇ ହୁଏ ଷୋକପଣ ଘାଟି ।

ବିଶୁଦ୍ଧ ଓଡ଼ିଆ ଭାଷା ଶିଖ ଲେଖି କହି,

ଓଡ଼ିଆ ଭାଷାର ସବୁ ପଢ଼ ଭଲ ବହି ।

 

ଓଡ଼ିଆ ମହାଭାଷା ତ ସଂସ୍କୃତର କନ୍ୟା,

ନୁହଇ ଉଚିତ ତାକୁ କରିବା ଅମାନ୍ୟା ।

ଶିଖିବା ପାଇଁ ତା, କହିଥିଲି ଏହି ହେତୁ,

ଭଲ କଥା କହୁଅଛି ମଣ ନାହିଁ କେତୁ ।

 

ଓଡ଼ିଆଏ ଅଶିକ୍ଷିତ ଥିବେ ଯେତେ ଦିନ,

ତେତେ ଦିନ ଥିବ ତୁମ୍ଭେ ଏକ ଅଙ୍ଗହୀନ ।

କଥାଏ କହିବି ଆଉ ଯିବ ନାହିଁ ଚିଡ଼ି,

ତୁମ୍ଭ ମାତୃଭାଷା ସୁଦ୍ଧା ଅଦ୍ଭୁତ ଖେଚିଡ଼ି ।

 

ଅରୁଆ, ଇଂରାଜୀ ପୁଣି ତାମିଲ ଓ ହିନ୍ଦୀ,

ତୁମ୍ଭ ମାତୃଭାଷାରେ ତ ହୋଇଅଛି ଖୁନ୍ଦି ।

ଇଂରାଜୀକୁ ଖୁବ୍ ଆଣ୍ଟେ ଧରିଅଛ ଟାଣି,

ରଖିଅଛି ବନ୍ଧ ଦେଇ ଧରି ବର୍ଷା ପାଣି ।

 

ନିଜ ମାତୃଭାଷା ଅଙ୍ଗ କର ସୁନିର୍ମଳ,

ଭ୍ରାତୃଭାବେ ଓଡ଼ିଆଙ୍କୁ କର ଅନୁବଳ ।

ସ୍ୱାର୍ଥ ତେଜି କରେ ଯେହୁ ପର ଉପକାର,

ସାଧନ୍ତି ଦେବତାବୃନ୍ଦ ମଙ୍ଗଳ ତାହାର ।

 

କଳେଇ ବାସନେ ଖାଅ ଏ ବଡ଼ ଦୁର୍ଗୁଣ,

ତହିଁରେ କି ବେଶୀ ସ୍ୱାଦୁ ଲାଗେ ଭାତ ତୁଣ ?

ଦେଶୀୟ ପଦାର୍ଥେ ତୁମ୍ଭେ ଘୃଣା କର ଭାରୀ,

ସେଗୁଡ଼ାକ ମୋଟା ପୁଣି ଓଡ଼ିଆ ତିଆରି ।

 

ତୁମ୍ଭ ଧନେ ବିଦେଶୀଏ ମାରୁଛନ୍ତି ହେଣ୍ଡି,

ସୁନା ଦେଇ ତୁମ୍ଭେମାନେ କିଣୁଛନ୍ତି ଭେଣ୍ଡି ।

ବିଳାସିତା ଊଣା ନୋହେ ପେଟେ ଭାତ ନାହିଁ,

ବୁଲୁଥାଅ ଫୁଲହାର ଗଳାରେ ପକାଇ ।

 

କି ସୁଖ ଲଭ ସେଥିରୁ ତୁମ୍ଭଙ୍କୁ ତା ଜଣା,

ଭାବି ଭାବି କିନ୍ତୁ ମୋର ବୁଦ୍ଧି ହୁଏ ବଣା ।

ଏ. ବି. ସି. ଡ଼ି. ପଢ଼ି ହେଲ ଇଂରାଜୀ ପଢ଼ୁଆ,

ମାତୃଭାଷା କହିବାକୁ ଲାଗିଲା ଅଡ଼ୁଆ ।

 

ଭାଷାରେ ଇଂରାଜୀ ଏତେ ଯୋଟ କାହିଁ ପାଇ,

ଜାତୀୟ ଶବ୍ଦଗୁଡ଼ା କି ମନେ ପଡ଼େ ନାହିଁ ।

ଇଂରାଜୀ ପଢ଼ିଛ ବୋଲି ଶୋଇଲେ ରାତିରେ,

ଦେଖିବ କି ସ୍ୱପ୍ନ ସୁଦ୍ଧା ସେହି ଇଂରାଜୀରେ ।

 

ଦୁଃଖ ରହିଗଲା ମନେ ଗୋଟିଏ କଥାରେ,

ଉଦ୍ୟାନଖଣ୍ଡକୁ ଯାଇ ନ ପାରିଲି ବାରେ ।

ଗଞ୍ଜାମ ଜିଲାର ସେ ତ ଅଟେ କାମଧେନୁ,

ତାହାର ଧୂଳି କଣିକା ନିଶ୍ଚେ ରତ୍ନରେଣୁ ।

 

ଇଚ୍ଛାପୁର ‘‘ପିର୍ଲ୍ଲୁକୋଣ୍ଡା’’ ପାହାଡ଼ ଉପରୁ,

ଉଦ୍ୟାନର ଚାରୁଶୋଭା ଦେଖିଲି ଦୂରରୁ ।

ସମୁଦ୍ର ବେଳାଭୂମିରେ ସେ ଉଦ୍ୟାନଖଣ୍ଡ,

ଆଖି ଢାଙ୍କି ପଡ଼େ ଦେଖି ଅତୀବ ପ୍ରକାଣ୍ଡ ।

 

ଅସମୟେ ଫଳ ଫୁଲ ଧରଇ ଉଦ୍ୟାନ,

ବରୁଣ ଦେବଙ୍କର ସେ ବିଦ୍ୱାରୋପବନ ।

ଲେଖନୀରେ ବର୍ଣ୍ଣି ନୁହେଁ ଉଦ୍ୟାନର ଛବି,

ବର୍ଣ୍ଣିଛନ୍ତି ନିଜ କାବ୍ୟେ କାଳିଦାସ କବି ।

 

ଗଞ୍ଜାମରେ କେତେ ଅଛି ପୁଣ୍ୟପୀଠ ସ୍ଥାନ,

ଗଣି ନୁହେଁ ପୁଷ୍କରିଣୀ ଦେବାଳୟମାନ ।

ଅନେକ ଭଲ ପଦାର୍ଥ ମିଳେ ଏ ଜିଲାରୁ,

ହରିନିଏ ହୃଦମନ ସୁନାରୁପାକାରୁ ।

 

ବ୍ରହ୍ମପୁରୀ ପାଟଲୁଗା ଢାଳ କାଠଚଟି,

ପାରଳାର ଯାଇଖାଡ଼ି-ବୁଣା ବ୍ୟାଗ୍, ପଟି,

ସୁନ୍ଦର ତେଲପାନିଆ ସିଂହର ଆକୃତି,

ରମ୍ୟ କାରୁକଳାଯୁକ୍ତ କାଷ୍ଠ ଶିଳାମୂର୍ତ୍ତି,

 

ବେଲଗୁଣ୍ଠା ପିତଳ ମାଛ ପିତଳ ବାସନ,

ଦେଖିଲେ ରହିବ ଲାଖି ତହିଁ ନେତ୍ରମନ ।

ଦିଶିଲାଣି ଋଷିକୁଲ୍ୟା ଏହି ତ ଆଗରେ,

ଶିଖିଭୀତ ଫଣୀ ପରି ଗତି କରେ ଖରେ ।

 

ଋଷିତପସ୍ୟା-ସମ୍ଭବା ଋଷିମାକ-କନ୍ୟା,

ସୁପବିତ୍ରା, ସ୍ୱଚ୍ଛନୀରା ନଦୀକୂଳେ ଧନ୍ୟା ।

ମର୍ତ୍ତ୍ୟରେ ଅମୃତ ସମ ଅଟେ ତୋର ନୀର,

କରେ ଜୀବ ପିଣ୍ଡ ବୃଦ୍ଧି ଯଥା ମାତୃକ୍ଷୀର ।

 

ତୀରେ ଶୋଭେ ବାଲିସ୍ତୂପ ଖଡ଼ିଶୈଳାକୃତି,

ପୁଞ୍ଜୀଭୂତ ହୋଇଛି କି ତୋହର ସୁକୃତି ?

ଗଞ୍ଜାମବାସୀଙ୍କ ରକ୍ତ ତୋ ଜଳକଣିକା,

ତୋ ଯୋଗୁଁ ପ୍ରସବେ ସୁନା ଗଞ୍ଜାମ ମୂର୍ତ୍ତିକା ।

 

କୃଶା ହୋଇ ପଡ଼ିଥାଉ ନିଦାଘେ ତଟିନୀ,

ପ୍ରାବୃଟେ ହେଉ ସଲିଳ-ସମ୍ପଦଶାଳିନୀ ।

ଚରମ ସୀମାରେ ଦୁଃଖ ହେଲେ ଉପସ୍ଥିତ,

ଏହିପରି ହୁଏ ନର-ସୌଭାଗ୍ୟ ଉଦିତ ।

 

ଜୀବନର ସ୍ରୋତ ପରି ତୋ ଜୀବନ-ସ୍ରୋତ,

ଅବିରତ ଲକ୍ଷ୍ୟ ଦିଗେ ହେଉଛି ଧାବିତ ।

ବଢ଼ିକାଳେ କୁଟା କାଠି କେତେ ଯାଏ ଭାସି,

ଭାବୁକ ହୃଦୟେ ଯଥା ଉଦେ ଭାବରାଶି ।

 

ଦିଶି ଆସିଲାଣି ଏହି ନୀଜାମ୍ବୁ ଚିଲିକା,

ସ୍ୱଚ୍ଛ ଶୁଭ୍ର ଫେନଚୂଡ଼ ତରଙ୍ଗମାଳିକା ।

ବାଟଚଲା କଷ୍ଟ ନାହିଁ ଚଢ଼ିଅଛି ରେଲ,

ଦେଖୁଁ ଦେଖୁଁ ପହୁଞ୍ଚାଇଦେଲା ଆଣି ମେଲ ।

 

ଧନ୍ୟ ବିଜ୍ଞାନର ବଳ ଧନ୍ୟ ତାର ତେଜ,

ତା ବଳେ ପୁଷ୍ପକ ରଥ ଚଳାନ୍ତି ଇଂରେଜ ।

ରେଲ ଚଢ଼ିବାରେ କିଛି ଥିଲା ନାହିଁ ହାନି,

ନ ନିଅନ୍ତା ଟଙ୍କା ଯେବେ ବିଦେଶୀ କୋମ୍ପାନୀ ।

କାଙ୍କଣ-ଶିଖରୀ ଶିଖୁଁ ପକ୍ଷିକୁଳ ଉଡ଼ି,

ଚଢ଼ାଇଗୁହାକୁ ଆସୁଅଛନ୍ତି ବାହୁଡ଼ି ।

ଉଠାଇ ନେଉଛି ମାଛ ଚିଲ ଛକି ଛକି,

ଚକାଚକି ଦେଉଛନ୍ତି ଆକାଶରେ ଚକି ।

ଭଲ ଦେଖି ତୁଷ୍ଟ, ମନ୍ଦ ନ ପାରିଲି ସହି,

ଖଟାମିଠା ଦୁଇ କଥା ଗଲି ତହୁଁ କହି ।

ମନରେ ମୋହର କିନ୍ତୁ ନାହିଁ ଅନ୍ୟ ଭାବ,

ଯା ଦେଖିଲି ତା ଲେଖିଲି ଯେ ବା ଯାହା ଭାବ ।

ଯଦ୍ୟପି ରାଗରେ କେହି ହେବ ଗରଗର,

ପ୍ରତ୍ୟାହାର କରିନେବି ଲେଖାଟି ମୋହର ।

ବାଲୁଗାଁ ଷ୍ଟେସନ ଦୂରେ ଦିଶେ ସୁମଞ୍ଜୁଳ,

ଏ ପାଖ ମାନ୍ଦ୍ରାଜ ତାର ସେ ପାଖ ଉତ୍କଳ ।

ଢେର ଦିନୁ ବୁଲୁଅଛି ଛାଡ଼ି ଘରଦ୍ୱାର,

ହେଉଛି ବିଦାୟ ଏବେ ଜୁହାର ଜୁହାର ।